ବଲାଙ୍ଗିର ବନଖଣ୍ଡରେ ତାଳଗଛ ବନିକରଣରେ ବ୍ୟାପକ ଦୁର୍ନୀତି ; ସରକାରୀ ଅନୁଦାନ ଲୁଟ ଅଭିଯୋଗ

0
30

ବଲାଙ୍ଗିର, ୨୬/୦୩/୨୦୨୫(ଜେ.ଏନ୍.ଏସ୍.): ରାଜ୍ୟ ସରକାର ରାଜ୍ୟରେ ବୃଦ୍ଧି ପାଉଥିବା ବଜ୍ରାଘାତ ଜନିତ ମୃତ୍ୟୁ ହାର ଉପରେ ଅଙ୍କୁଶ ଲଗାଇବାକୁ ପ୍ରତ୍ୟେକ ବନଖଣ୍ଡରେ ତାଳଗଛ ରୋପଣ ପାଇଁ ଯୋଜନା ପ୍ରସ୍ତୁତ କରି ଅନୁଦାନ ମଧ୍ୟ ଯୋଗାଇଛନ୍ତି । ତାଳଗଛ ରୋପଣ ପାଇଁ ପ୍ରତ୍ୟେକ ବନଖଣ୍ଡକୁ ସରକାର ୫୦ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଏହିକ୍ରମରେ ବଲାଙ୍ଗିର ବନଖଣ୍ଡକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ବୃକ୍ଷ ରୋପଣ କରା ନ ଯାଇ ମିଥ୍ୟା ବିଲ କରି ଏହି ଅନୁଦାନ ଅର୍ଥକୁ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି ।ବଲାଙ୍ଗିର ଡିଭିଜନ ଅଧିନରେ ଥିବା ୧୧ଟି ରେଞ୍ଜ ଅଞ୍ଚଳରେ କିଏ କେତେ ତାଳଗଛ ଲଗାଇବେ ସେହି ହିସାବରେ ଅନୁଦାନ ଦିଆଯାଇଥିଲା । ତେବେ ୧ ଲକ୍ଷ ତାଳ ଗଛ ରୋପଣ ପରିବର୍ତ୍ତେ ଏଥିରେ ବ୍ୟାପକ ଦୁର୍ନିତୀ ହୋଇଥିବା  ଅଭିଯୋଗ ହୋଇଛି । ଯେଉଁ ଯେଉଁ ସ୍ଥାନରେ ତାଳଗଛ ଲଗାଯାଇଥିବା ଦର୍ଶାଯାଇଛି ସେଠାରେ ବିଲକୁଲ ତାଳଗଛ ନାହିଁ । ବିଭାଗ ପକ୍ଷରୁ ତାଳମଞ୍ଜି ରୋପଣ ହୋଇଥିଲା କିନ୍ତୁ ଗଜା ଉଠିଲା ନାହିଁ ବୋଲି ସଫେଇ ଦିଆଯାଉଥିବା ଦେଖିବାକୁ ମିଳିଛି । ରେଞ୍ଜଗୁଡିକୁ ଦିଆଯାଇଥିବା ଅନୁଦାନରେ ତାଳମଞ୍ଜି ସଂଗ୍ରହ କରାଯାଇ ତାକୁ ରେଞ୍ଜକୁ ଅଣାଯାଇ ରଖାଯାଇଥିଲା ଓ ପରେ ତାକୁ ଫିଲ୍ଡକୁ ନିଆଯାଇ ରୋପଣ କରାଯାଇଥିଲା ବୋଲି ବନବିଭାଗ ଉତ୍ତର ରଖୁଛି । ଜଙ୍ଗଲ ଗୁଡିକର ସୀମାରେଖାରେ ଏହି ତାଳଗଛ ରୋପଣ କରାଯାଇଥିବା ବନବିଭାଗ ଦର୍ଶାଇଛି । ସୂଚନା ଅନୁଯାୟୀ ବଲାଙ୍ଗିର ରେଞ୍ଜରେ ସର୍ବାଧିକ ୧୨,୭୨୬ଟି, ବଙ୍ଗୋମୁଣ୍ଡା ରେଞ୍ଜରେ ୬୨୯୦ଟି, ଦେଓଗାଁ ରେଞ୍ଜରେ ୭୦୦୦ଟି, ହରିଶଙ୍କର ରେଞ୍ଜରେ ୯୬୮୦ଟି, କଣ୍ଟାବାଞ୍ଜି ରେଞ୍ଜରେ ୯୦୦୦ଟି, ଲାଠୋର ରେଞ୍ଜରେ ୮୪୫୦ଟି, ଲୋଇସିଂହା ରେଞ୍ଜରେ ୮୬୦୦ଟି, ମୁରିବାହାଲ ରେଞ୍ଜରେ ୬୫୨୦ଟି, ପାଟଣାଗଡ଼ ରେଞ୍ଜରେ ୧୦,୭୦୦ଟି, ସଇଁତଳା ରେଞ୍ଜରେ ୭୩୨୦ଟି  ଓ ଟିଟିଲାଗଡ଼ ରେଞ୍ଜରେ ୬୯୫୦ଟି  ଏଭଳି ମୋଟ ୯୩,୨୩୬ଟି ତାଳଗଛ ଲଗାଯାଇଥିବା ବନ ବିଭାଗ ଦର୍ଶାଇଛି । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ରହିଥିବା ବେଳେ ସରକାରଙ୍କୁ ଅନୁଦାନ ମିଳିମିଶି ଲୁଟ କରାଯାଇଥିବା ସ୍ପଷ୍ଟ ଅନୁମେୟ ହେଉଛି । ଘଟଣାକୁ ନେଇ ବଲାଙ୍ଗିର ଏ.ସି.ଏଫ୍. ଜିତେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଫାଇଲ ଦେଖିଲା ପରେ କହିହେବ ବୋଲି ସେ କହିଥିଲେ । ତାଳମଞ୍ଜି ଲଗାଯାଇଥିଲା କିନ୍ତୁ ଅନେକ ସ୍ଥାନରେ ତାଳ ମଞ୍ଜିରୁ ଗଛ ଉଠିଲା ନାହିଁ ବୋଲି କହିଛନ୍ତି । ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି ।  

LEAVE A REPLY

Please enter your comment!
Please enter your name here