ମାଲବାହୀ ଟ୍ରେନକୁ ପ୍ରାଥମିକତା, ନିୟମିତ ଇସ୍ପାତ ଏକ୍ସପ୍ରେସ ବିଳମ୍ବକୁ ନେଇ ଯାତ୍ରୀ ଅସନ୍ତୋଷ

0
45

ଟିଟିଲାଗଡ଼,୧୯/୦୪/୨୦୨୫(ଜେଏନ୍ଏସ୍), ହାୱଡା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ଲଗାତାର ଅହେତୁକ ବିଳମ୍ବରେ ଚଳାଚଳ କରିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣତଃ  ରେଳ ପ୍ରକଳ୍ପ ଅନ୍ତର୍ଗତ ରକ୍ଷଣା ବେକ୍ଷଣ କାର୍ଯ୍ୟ ଜାରି ରହିଥିଲେ ବିଭାଗୀୟ ସୂଚନା ପ୍ରଦାନ କରାଯିବା ସହ ଟ୍ରେନ ଚଳାଚଳ ସାମୟିକ ଭାବରେ ବିଳମ୍ବ ହୋଇଥାଏ । କିନ୍ତୁ ନିର୍ଦ୍ଧିଷ୍ଟ କିଛି କାରଣ ନ ଥାଇ ବ୍ୟବସାୟୀକ ଦୃଷ୍ଟିରୁ ମାଲବାହୀ ଟ୍ରେନକୁ ପ୍ରାଥମିକତା ଦେଇ ନିୟମିତ ଭାବରେ ଇସ୍ପାତ ଏକ୍ସପ୍ରେସକୁ ବିଳମ୍ବ କରାଯାଉଥିବା ଅଭିଯୋଗ ଉଠିଛି । ହାୱଡା ଷ୍ଟେସନରୁ ସକାଳ ୬ ଘଣ୍ଟା ୩୦ ମିନିଟରେ କଣ୍ଟାବାଞ୍ଜି ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ଇସ୍ପାତ ଏକ୍ସପ୍ରେସ(୨୨୮୬୧) କଣ୍ଟାବାଞ୍ଜିକୁ ନିର୍ଦ୍ଧାରିତ ସମୟ ୮ ଘଣ୍ଟା ୩୫ ମିନିଟ ପରିବର୍ତ୍ତେ ୩ ଘଣ୍ଟା ରୁ ୪ ଘଣ୍ଟା ବିଳମ୍ବରେ ଆସୁଥିବା ଦେଖିବାକୁ ମିଳୁଛି । ସେହିପରି ସପ୍ତାହକୁ ୩ ଦିନ ହାୱଡାରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଆସୁଥିବା ଇସ୍ପାତ ଏକ୍ସପ୍ରେସ(୧୨୮୭୧) ଚଳାଚଳରେ ମଧ୍ୟ ଅନୁରୂପ ସ୍ଥିତି ଜାରି ରହିଛି । ଏକଦା ସମ୍ବଲପୁର ମଣ୍ଡଳ ରେଳ ଚଳାଚଳରେ ସମୟାନୁବର୍ତ୍ତିତା ବଜାୟ ରଖିବା ପାଇଁ ସୁନାମ ଅର୍ଜନ କରିଥିବା ନଜିର ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଏଭଳି ଅବସ୍ଥା ଯାତ୍ରୀଙ୍କ ଭରସାକୁ ଦୋହଲାଇଥିବା ଦେଖିବାକୁ ମିଳିଛି ।ଅପର ପକ୍ଷରେ ସମ୍ବଲପୁର ମଣ୍ଡଳ ମଧ୍ୟରେ ମଧ୍ୟ ଟ୍ରେନ ପରିଚାଳନାରେ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନକୁ ଗୁରୁତ୍ଵ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି । ଇସ୍ପାତ ଟ୍ରେନ ସମ୍ବଲପୁର ମଣ୍ଡଳ ପ୍ରବେଶ କଲାପରେ ମଧ୍ୟ ଷ୍ଟେସନ ମଧ୍ୟରେ ଲାଇନ କ୍ଲିଅରେନ୍ସ ନ ଥିବା ଦର୍ଶାଇ ଷ୍ଟେସନ ପ୍ରବେଶ ପୂର୍ବରୁ ଆଉଟ୍ ଡୋରରେ ବହୁ ସମୟ ପର୍ଯ୍ୟନ୍ତ ଛିଡା କରାଯାଉଛି ।ଯାହା ଫଳରେ ଏହାର ବିଳମ୍ବିତ ସମୟ ଆହୁରି ବୃଦ୍ଧି ପାଉଛି । ଘଟଣାକୁ ନେଇ ଷ୍ଟେସନ ମ୍ୟାନେଜର ଠୁ ନେଇ ମଣ୍ଡଳର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେମାନେ ନିଜ ଅସହାୟତା ପ୍ରକାଶ କରିବା ଯାତ୍ରୀ ମହଲରେ ନିରାଶ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here