ରାସ୍ତା ନିର୍ମାଣ ପାଇଁ ନିଜ ଘର ଭାଙ୍ଗି ଜାଗା ଦେଲେ ଗ୍ରାମବାସୀ

0
47

ଟିଟିଲାଗଡ଼,୧୮/୦୪/୨୦୨୫(ଜେଏନ୍ଏସ୍), ସାଂପ୍ରତିକ ସମାଜରେ ଇଞ୍ଚେ ଜାଗା କେହି କାହାକୁ ଦେବାକୁ ପ୍ରସ୍ତୁତ ନ ଥିବା ବେଳେ ବରଂ ସୁଯୋଗ ପାଇଲେ ନିଜ ସ୍ୱାର୍ଥ ସାଧନ ପାଇଁ ସରକାରୀ ଜମି, ରାସ୍ତା କଡ଼, ଡ୍ରେନ ଉପରେ ଲୋକେ ମାଡ଼ି ବସିଥିବା ନଜିର ରହିଛି । ଏପରି ସ୍ଥିତିରେ ସାମୁହିକ ସ୍ୱାର୍ଥକୁ ଗୁରୁତ୍ଵ ଦେଇ ରାସ୍ତା ନିର୍ମାଣ ପାଇଁ ନିଜ ନିଜ ଘର ଭାଙ୍ଗି ଜାଗା ଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବଛାଯୁଝା ଗ୍ରାମବାସୀ । ଟିଟିଲାଗଡ଼ ବ୍ଲକ ସିହିନି ପଞ୍ଚାୟତ ଅନ୍ତର୍ଗତ ବଛାଯୁଝା ଗ୍ରାମ ଭିତରେ ପ୍ରସସ୍ଥ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଜମି ପ୍ରଦାନ କରିବାକୁ ସ୍ଥାନୀୟ ସରପଞ୍ଚ ବୀରବର ସାହୁ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ସରପଞ୍ଚ ଶ୍ରୀ ସାହୁ ୱାର୍ଡ ମେମ୍ବର ଧରଣୀ ଜାନି, କୈଳାସ ଖର୍ସେଲ, ଗୁଣ ଖର୍ସେଲ, କୁନୁ ଖର୍ସେଲ, ଜିତେନ୍ ଖର୍ସେଲ, ଡମ୍ବରୁ ଖର୍ସେଲ, ଦାମୁ ନାଗ, ଲବନା ନାଗ, କ୍ଷୀରସିନ୍ଧୁ ନାଗ, ସଜମନ୍ ଜାନି ପ୍ରମୁଖଙ୍କୁ ନେଇ ଗ୍ରାମବାସୀ ସହ ଏକ ବୈଠକ କରି ଜମି ପ୍ରଦାନ କରିବାକୁ ଉତ୍ସାହିତ କରିଥିଲେ । ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁ ନ ଥିବା ବେଳେ ପ୍ରଶସ୍ଥ ରାସ୍ତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଜାଗା ଛାଡ଼ିବାକୁ ସମ୍ମତି ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ସକାଳୁ ଗ୍ରାମର ତାରାଚନ୍ଦ ଜାନି, ଦିବାକର ବଛା, ବିଭୀଷଣ ନାଗ, ବୈଭ ଖର୍ସେଲ, ଦାସ ନାଗ, ବୁଦୁ ପରାଭୋଇ, ଗିରିଧାରୀ ଖରସେଲ, ଗୁଣ ଖରସେଲ, ନରସିଂହ ଖରସେଲ, ମାୟାଧର ଖରସେଲ, ଅହଲ୍ୟା ନାଗ, ଛତର ନାଗ, ଲୁଦେନ ଖରସେଲ, ଶ୍ରବଣ ବଛା, ଟିଟି ନାଗ, ଦେବୀନ ବଛା ପ୍ରମୁଖ ଜେସିପି ମେସିନ ଲଗାଇ ନିଜ ନିଜ ଘରକୁ ନିଜେ ଭାଙ୍ଗି ଦେଉଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସିହିନି ଗ୍ରାମବାସୀଙ୍କ ଅନୁରୂପ କାର୍ଯ୍ୟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚ ଶ୍ରୀ ସାହୁଙ୍କ ସହ ଗ୍ରାମବାସୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।ବର୍ତ୍ତମାନ ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ନିଜ ପୈତୃକ ଘର ଉସର୍ଗ କରି ବାସହୀନ ହୋଇପଡ଼ିଥିବା ଲୋକଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସରପଞ୍ଚ ଶ୍ରୀ ସାହୁ ସରକାରଙ୍କୁ ନିବେଦନ କରିଛନ୍ତି । 

LEAVE A REPLY

Please enter your comment!
Please enter your name here