ବିଧାନସଭାରେ ବଲାଙ୍ଗିରର କୃଷିବିଶ୍ୱବିଦ୍ୟାଳୟ ପ୍ରସଙ୍ଗ

0
70

ବଲାଙ୍ଗିର,୨୫/୦୭ (ଜେଏନ୍ଏସ୍) : ଓଡିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ବଲାଙ୍ଗିରରେ ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ବଲାଙ୍ଗିରରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକସଶକ୍ତିକରଣ ବିଭାଗର ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ରାଜ୍ୟରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ନିମନ୍ତେ ଭାରତସରକାରଙ୍କ ଶିକ୍ଷାନୀତି, ୟୁଜିସିର ନୀତିନୀୟମ ଏବଂ ଶିକ୍ଷାର ପରିମାପକର ନିର୍ଦ୍ଦେଶାବଳୀ(ଡିନସ କମିଟି ରିପୋର୍ଟ) ଅନୁସରଣ କରାଯାଏ । ବଲାଙ୍ଗିର ଜିଲ୍ଲାରେ ଓଡିଶା କୃଷି ଓ ବୈଷୟୀକ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷିବିଜ୍ଞାନକେନ୍ଦ୍ର (କେଭିକେ) ମାଧ୍ୟମରେ ଜିଲ୍ଲାର ଚାଷିମାନଙ୍କ ଜମିରେ କ୍ଷେତ୍ର ପରୀକ୍ଷଣ ଓ କ୍ଷେତ୍ରପ୍ରଦର୍ଶନ କରାଯାଇ ଚାଷିଙ୍କୁ ତାଲିମ ଦିଆଯାଉଛି ଏବଂ ଗୋଟିଏ ଅଗ୍ରୋପଲିଟେକନିକ ସେଣ୍ଟର ମଧ୍ୟ କାର୍ଯ୍ୟ କରୁଅଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେହିପରି ବିଧାୟକ କଳିକେଶଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରଖି କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାର ୧୪ଗୋଟି ବ୍ଲକ ଓ ୫ଟି ସହରାଞ୍ଚଳରେ ମୋଟ ୪,୨୦,୦୫୯ ପରିବାରର ୧୩,୬୯,୩୯୫ ଜଣ ସଦସ୍ୟଙ୍କୁ ଜାତୀୟଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିକାର୍ଡ ପ୍ରଦାନ କରାଯାଇଛି । ଏହି ତାଲିକାରୁ ବଞ୍ଚିତ ଥିବା ପରିବାରଙ୍କୁ ସାମିଲ କରିବାକୁ ଜିଲ୍ଲାରେ ୩୭୮ଟି ରେସନକାର୍ଡ ପରିଚାଳନା(ଆରସିଏମଏସ) କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଯେଉଁଠି ଆବେଦନକାରୀମାନେ ଆବେଦନ କରିପାରିବେ । ଏହା ବ୍ୟତିତ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ୱେବସାଇଟରେ ମଧ୍ୟ ଆବେଦନ କରାଯାଇ ପରିବ । ଆବେଦନ ଦାଖଲ କଲାପରେ ଏହାକୁ ୧୨ଟି ସ୍ୱତଃ ଯୋଗଦେବା ମାନଦଣ୍ଡ ଓ ୧୦ଗୋଟି ବାଦଦେବା ମାନଦଣ୍ଡ ଆଧାରରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଦ୍ୱାରା ଏହାର ଯାଞ୍ଚ କରାଯିବ । ତେବେ ଏବେ ହିତାଧିକାରୀ ତଥ୍ୟାବଳିକୁ ସ୍ୱଚ୍ଛ କରିବାକୁ ଆଧାର ଭିତ୍ତିକ (ଇ-କେୱାଇସି) ଯାଞ୍ଚ ଚାଲିଥିବାରୁ ଏହି ପ୍ରକ୍ରିୟା ସରିଲାପରେ ନୂଆ ହିତାଧିକାରୀଙ୍କୁ ରେସନକାର୍ଡ ଯୋଗାଇବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରରଖିଛନ୍ତି । ଠିକ ସେହିପରି ବଲାଙ୍ଗିର ଓ ବଲାଙ୍ଗିର ସଦରବ୍ଲକ ଅଞ୍ଚଳ ପ୍ରାଣୀଧନର ବୀମା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେଥିରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିକହିଛନ୍ତି ଯେ, ବଲାଙ୍ଗିର ପୌରପାଳିକାରେ ଗାଈଗୋରୁ ସଂଖ୍ୟା ୧୯୪୨ଟି ଓ ୩,୮୪୦ ଛେଳି,ମେଣ୍ଢା ଓ ଘୁଷୁରୀ ରହିଥିବା ବେଳେ ସେଥିରୁ ମାତ୍ର ୩୫ଟି ଗାଈଗୋରୁ ବୀମାଭୁକ୍ତ ହୋଇଛନ୍ତି । ସେହିପରି ବଲାଙ୍ଗିର ସଦର ବ୍ଲକରେ ୧୮,୫୩୩ଟି ଗାଈଗୋରୁ ଓ ୩୩,୩୨୮ଟି ଛେଳି,ମେଣ୍ଢା ଓ ଘୁଷୁରୀ ଅଛନ୍ତି । ସେଥିରୁ ୨୧୮ଟି ଗାଈଗୋରୁ ଓ ୧୨୨ଟି ଛେଳିମେଣ୍ଢା ବୀମାଭୁକ୍ତ ହୋଇଛନ୍ତି ବୋଲି ଉତ୍ତର ମିଳିଛି ।

LEAVE A REPLY

Please enter your comment!
Please enter your name here