ଇ-କେ.ୱାଇ.ସି. ଖୋଲିଲା ଗୁମର; ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ରାସନ କାର୍ଡ

0
47

ଟିଟିଲାଗଡ଼,୨୨/୦୩/୨୦୨୫,(ଜେଏନଏସ):ଅଯୋଗ୍ୟ ହିତାଧୀକାରୀଙ୍କୁ ରାସନ କାର୍ଡ ଫେରାଇବାକୁ ବିଭାଗୀୟମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅପିଲ କରିବା ପରେ ୪୫୦୦ରୁ ଉର୍ଦ୍ଧ୍ଵ ସରକାରୀ ଚାକିରିଆ କାର୍ଡ ଫେରାଇଥିବା ବେଳେ ୪ ଲକ୍ଷରୁ ଉର୍ଦ୍ଧ୍ଵ ମୃତ ହିତାଧିକାରୀଙ୍କ ନାଁ କଟିଥିଲା । ତେବେ ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ପୂର୍ବ ସରକାରରେ ବହୁ ଅଯୋଗ୍ୟ ଦଳୀୟକର୍ମୀ ଓ ନେତା ଜାଲିଆତିକରି ରାସନକାର୍ଡ ହାତେଇଥିବା ଜଣାପଡ଼ିଛି । ଏହି କ୍ରମରେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ନାମରେ ରାସନ କାର୍ଡ ରହିଥିବା ଓ ସେ ଦୀର୍ଘ ଦିନ ଧରି ନିୟମିତ ଚାଉଳ ଉଠାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ସଂଯୁକ୍ତା ପ୍ରଧାନ ନାମରେ ମନି ଗାଁରେ ରାସନକାର୍ଡ ଥିବା ଓ ନିୟମିତ ଚାଉଳ ଉଠାଯାଇଥିବା ଜଣାପଡ଼ିଛି । ତେବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନି ସାହୁଙ୍କ ଏକାନ୍ତ ଅନୁଗତ ଥିବା ବ୍ଲକ ଅଧ୍ୟକ୍ଷା ଗରିବ ପାଇଁ ଉଦ୍ଧିଷ୍ଟ ଚାଉଳ ଉଠାଉଥିବା ବେଳେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ତଥା ସଂପୃକ୍ତ ଡିଲର କିପରି ଜାଣି ପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସାଧାରଣତଃ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ରାସନ କାର୍ଡ ଖଣ୍ଡେ ପାଇବାକୁ ସାଧାରଣ ଲୋକେ ନୟାନ୍ତ ହେଉଥିବା ନଜିର ରହିଥିବାବେଳେ ପୂର୍ବ ସରକାରରେ ଦଳୀୟ କର୍ମୀ, ଠିକାଦାର, ସମିତିସଭ୍ୟ ଆଦିଙ୍କୁ ରାସନ କାର୍ଡ ସହ ବିଭିନ୍ନ ସରକାରୀ ଯୋଜନାରେ ପ୍ରାଥମିକତା ଭିତ୍ତିରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାୟକଙ୍କ ନାଁରେ ୨୦୧୯ ମସିହାରୁ ରାସନ କାର୍ଡ ଥିବା ବେଳେ ସେ ୨୦୨୨ରେ ବ୍ଲକ ଅଧ୍ୟକ୍ଷା ହେବା ପରେ ରାସନକାର୍ଡ ବନ୍ଦ କରିବାକୁ ବାରମ୍ବାର ପ୍ରଶାସନକୁ ଜଣାଇଥିବା କହିଛନ୍ତି । ତେବେ ଚାଉଳ ସେ ନେଇ ନ ଥିବା କହୁଥିବାବେଳେ ବ୍ଲକ ଅଧ୍ୟକ୍ଷାଙ୍କ ନାମରେ କିଏ ନିୟମିତ ଚାଉଳ ଉଠାଇଛି ତାହାକୁ ନେଇ ସଂପୃକ୍ତ ବିଭାଗର ସ୍ୱଚ୍ଛତା ଓ ଯୋଗାଣ ଡିଲରର ସଂପୃକ୍ତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଘଟଣାକୁ ପୌରଅଧ୍ୟକ୍ଷା ମମତା ଦେବୀ ଜୈନ ନିନ୍ଦା କରିବା ସହ ପୂର୍ବ ସରକାର ଅମଳରେ ଗରିବଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ଦଳୀୟ ନେତା ଓ କର୍ମୀଙ୍କୁ ପ୍ରାଧାନ୍ୟ ଦେଇ ସାମିଲ କରାଯାଉଥିବା କହିଥିଲେ । ଏହାର ତଦନ୍ତ କରାଗଲେ ବହୁ ଗୁମର ଖୋଲିବା ନେଇ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୈନ କହିଛନ୍ତି । ସେହିପରି ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ୍ ଖତ୍ରୀ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ସେହିପରି କୁଶକେଲା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଚମ୍ପା ମହାନନ୍ଦ ସମିତି ସଭ୍ୟା ଭାବରେ ନିର୍ବାଚିତ ହୋଇ ଥିବା ବେଳେ ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ସି.ଆର୍.ପି. ଭାବରେ କାର୍ଯ୍ୟରତ ଥିବା ଅଭିଯୋଗ ହୋଇଛି । 

LEAVE A REPLY

Please enter your comment!
Please enter your name here