ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ରାସନକାର୍ଡ ମାମଲା ; ଜିଲ୍ଲାପାଳଙ୍କ ଆଦେଶ ପରେ ତଦନ୍ତ ଆରମ୍ଭ

0
35

ଟିଟିଲାଗଡ଼, ୨୬/୦୩/୨୦୨୫(ଜେ.ଏନ୍.ଏସ୍.): ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ନାମରେ ରାସନ କାର୍ଡ ରହିଥିବା ଓ ସେ ଦୀର୍ଘଦିନ ଧରି ନିୟମିତ ଚାଉଳ ଉଠାଉଥିବା ଅଭିଯୋଗ ହେବାପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ହେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ ବ୍ଲକ ସ୍ତରୀୟ ସ୍ଵତନ୍ତ୍ର ଟିମ୍ ଗଠନକରି ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଓ ସଂପୃକ୍ତ ଘଟଣା ସମ୍ବନ୍ଧିତ ବିଭିନ୍ନ ଦସ୍ତାବିଜ ମନିଗାଁ ପଞ୍ଚାୟତ ଯୋଗାଣ ସହାୟକଙ୍କ ଠାରୁ ତଦନ୍ତକାରୀ ଅଧିକାରୀ ଚନ୍ଦ୍ରଶେଖର ନାହାକ ନେଇଥିବା ସୂଚନା ମିଳିଛି । ମିଳିଥିବା ଦସ୍ତାବିଜ ଅନୁଯାୟୀ ବ୍ଲକ ଅଧ୍ୟକ୍ଷା  ହେବାପରେ ମଧ୍ୟ ଶ୍ରୀମତୀ ନାଏକ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ନିୟମିତ ପି.ଡି.ଏସ୍. ଚାଉଳ ଉଠାଇଥିବା ଜଣାପଡିଛି । ବ୍ଲକ ଅଧ୍ୟକ୍ଷା ମଧ୍ୟ ନିଜେ ଘଟଣାକୁ ସ୍ୱୀକାର କରିଥିବା ସୂଚନା ମିଳିଛି । ସାଧାରଣତଃ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ରାସନକାର୍ଡ ଖଣ୍ଡେ ପାଇବାକୁ ଗରିବ ଲୋକେ ନୟାନ୍ତ ହେଉଥିବା ବେଳେ ନିର୍ବାଚିତ ଜନପ୍ରତିନିଧି ଗରିବଙ୍କ ପାଇଁ ଉଦ୍ଧିଷ୍ଟ ଚାଉଳ ହାତେଇବା ଘଟଣାକୁ ନେଇ ସାଧାରଣ ମହଲରେ ନିନ୍ଦା କରାଯାଇଛି । ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଉପଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାୟକ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଟୁକୁନି ସାହୁଙ୍କ ଏକାନ୍ତ ଅନୁଗତ ଥିବାବେଳେ ବର୍ତ୍ତମାନ ଏହି ଘଟଣାରେ ତାଙ୍କୁ ଦଳୀୟ ନେତା ହିଁ ଫସାଇବାକୁ ଉଦ୍ୟମ କରୁଥିବା ସେ ଉଲ୍ଲେଖ କରିଛନ୍ତି । ତେବେ ଏହି ଘଟଣାରେ ତଦନ୍ତ ଆରମ୍ଭ ହେବାପରେ ରାସନକାର୍ଡ ହାତେଇଥିବା ବହୁ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଭାଳେଣି  ପଡ଼ିଥିବା ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here