ଜି.ଇ.ଡି. ଡିଭିଜନର ବିଚିତ୍ର ନୀତି, ଜଣେ ଯନ୍ତ୍ରୀଙ୍କ ଭରସାରେ ଚାଲିଛି ଜିଲ୍ଲା ସାରା କାର୍ଯ୍ୟ

0
69

ଟିଟିଲାଗଡ଼,୨୩/୦୫/୨୦୨୫(ଜେ.ଏନ୍.ଏସ୍.),ବଲାଙ୍ଗିର ଜିଲ୍ଲା ପୂର୍ତ୍ତ ବିଭାଗ ଅନ୍ତର୍ଗତ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜି.ଇ.ଡି.) ବିଭାଗ ଜଣେ ମାତ୍ର ଯନ୍ତ୍ରୀଙ୍କ ଭରସାରେ ଚାଲିଥିବା ଦେଖିବାକୁ ମିଳିଛି । ଏହି ବିଭାଗର ବଲାଙ୍ଗିର ଓ କଣ୍ଟାବାଞ୍ଜି ଡିଭିଜନ ଅଧୀନରେ ଡୁଙ୍ଗୁରିପାଲି,ପାଟଣାଗଡ଼ ଓ ଟିଟିଲାଗଡ଼ ସବ୍ ଡିଭିଜନ ରହିଛି । ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କୋଠାର ରକ୍ଷଣାବେକ୍ଷଣ ତଥା ଆଭ୍ୟନ୍ତରୀଣ ବିଦ୍ୟୁତ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଏହି ବିଭାଗରେ ସମଗ୍ର ଜିଲ୍ଲାର କାର୍ଯ୍ୟ ପାଇଁ ଜଣେ ମାତ୍ର ଯନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଥିବା ବିଭାଗୀୟ ସ୍ୱଚ୍ଛତାକୁ ପଦାରେ ପକାଇଛି ।କଣ୍ଟାବାଞ୍ଜି ଡିଭିଜନ ଅଧୀନରେ କାର୍ଯ୍ୟରତ ଟିଟିଲାଗଡ଼ ଯନ୍ତ୍ରୀ ସମଗ୍ର ଜିଲ୍ଲା ଦାୟିତ୍ୱରେ ରହିଥିବା ବେଳେ ବିଭାଗୀୟ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ସାରା ଜିଲ୍ଲାର ଦାୟିତ୍ଵରେ ରହିବା ସଂପୃକ୍ତ ଯନ୍ତ୍ରୀଙ୍କୁ ମଧ୍ୟ ବେଶ ସୁହାଇଛି । ବିଭାଗ ଅନ୍ତର୍ଗତ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡରରେ ହେଉଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଯନ୍ତ୍ରୀ ଓ ନିର୍ଦ୍ଧିଷ୍ଟ କିଛି ଠିକାଦାର ମିଶି ଟେଣ୍ଡର ପ୍ରକ୍ରିୟାକୁ ଅଣଦେଖା କରି ସମସ୍ତ କାମ ସହଭାଗିତାରେ କରୁଥିବା କିଛି ଠିକାଦାର ଅଭିଯୋଗ କରିଛନ୍ତି । ପୂର୍ବରୁ କଣ୍ଟାବାଞ୍ଜି ସ୍ଥିତ ପୂର୍ତ୍ତବିଭାଗ ମଣ୍ଡଳ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ ହୋଇଥିବା ବେଳେ ସଂପୃକ୍ତ କାର୍ଯ୍ୟାଳୟର ଦୁର୍ନୀତି ପେଡ଼ି ଖୋଲି ସାର୍ବଜନୀନ ହୋଇଥିଲା । ଟିଟିଲାଗଡ଼ ଜି.ଇ.ଡି. କାର୍ଯ୍ୟାଳୟ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଗତ ସାଧାରଣ ନିର୍ବାଚନ ସମୟରେ ନୂତନ ଏସ ଡି.ଏଚ୍ କୋଠାରେ ଲଗାଯାଇଥିବା ନୂତନ ଏସି କାଢି ଭୋଟ ଗଣତି କେନ୍ଦ୍ର କରାଯାଇଥିବା ଡିଏଭି କଲେଜରେ ଲଗାଯାଇଥିଲା । ପରେ ଅନୁରୂପ ଭାବରେ ତାହା ପୁଣି ଏସ୍.ଡି.ଏଚ୍.ରେ ସ୍ଥାପିତ କରାଯାଇଥିଲା । ଏହି ପ୍ରକ୍ରିୟାରେ ଦୁର୍ନୀତି କରାଯାଇ ୭ ଲକ୍ଷ ଟଙ୍କାର ବିଲ ଆଗତ କରାଯାଇଛି । ସ୍ଥାନୀୟ ଏମ୍.ସି.ଏଚ୍. ଠାରେ ଲଗାଯାଇଥିବା ୫୦୦ କେଭି ଟ୍ରାନସଫର୍ମର ନିମ୍ନମାନର ଯୋଗୁଁ ୨ ଥର ପୋଡ଼ି ସାରିଥିବା ବେଳେ ୩୩ କେଭି ଲିମ୍ବସ୍ ମଧ୍ୟ ଇତି ମଧ୍ୟରେ ୨ ଥର ପୋଡ଼ି ସାରିଛି । ଏଥିସହ ଏଠାରେ ୩୦ ଲକ୍ଷ ଟଙ୍କାର ଲଗାଯାଇଥିବା ସୋଲାର ଲାଇଟ ମଧ୍ୟ ଅଚଳ ହୋଇ ପଡ଼ିଛି । ଏହି ବିଭାଗ ପକ୍ଷରୁ ବିନା ଟେଣ୍ଡର ପ୍ରକ୍ରିୟାରେ ସ୍ଥାନୀୟ ଜି.ଏସ୍.ଟି. କାର୍ଯ୍ୟାଳୟରେ ମଧ୍ୟ ଏସି ଲଗାଯାଇଛି । ସଂପୃକ୍ତ ଯନ୍ତ୍ରୀ ବର୍ତ୍ତମାନ ସମଗ୍ର ଜିଲ୍ଲା ଦାୟିତ୍ୱରେ ରହିଥିବା ବେଳେ ଏହି ଦୁର୍ନୀତି ଆହୁରି ବ୍ୟାପକ ହେବାର ସମ୍ଭାବନା ରହିଛି । ଘଟଣା ସମ୍ଵନ୍ଧରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ସମସ୍ତ ଅଭିଯୋଗକୁ ତର୍ଜମା କରିବେ ବୋଲି ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here