ଓଡ଼ିଆ ସାହିତ୍ୟରେ ପ୍ରେମ,କରୁଣା,ଆବେଗ ଓ ତ୍ୟାଗ ଭରିରହିଛି : ଡ.ଗୌରହରୀ ଦାସ

0
75

ଟିଟିଲାଗଡ଼,୨୯/୦୭ (ଜେଏନ୍ଏସ୍) : ବିଶ୍ୱର ସର୍ବଶ୍ରେଷ୍ଠ ଗବେଷକଙ୍କ ମତରେ ଓଡ଼ିଆ ସାହିତ୍ୟରେ ହିଂସା, ଅହଙ୍କାର ଓ ବିଦ୍ୱେଷ ଅନୁପାତ ଅନ୍ୟ ସାହତ୍ୟ ଠାରୁ ଖୁବ୍ କମ୍ । କାରଣ ଓଡ଼ିଶାର ସାଂସ୍କୃତିକ ଜୀବନ ତଳେ ଆଉ ଏକ ଜୀବନଶୈଳୀ ରହିଛି । ଯାହା ବୌଦ୍ଧଧର୍ମ ଦ୍ୱାରା ପ୍ରଭାବିତ । ତେଣୁ ସାହିତ୍ୟ ସବୁ ଉପାଦାନର ମୂଳପିଣ୍ଡ । ଓଡିଆ ସାହିତ୍ୟରେ ପ୍ରେମ, କରୁଣା, ଆବେଗ ଓ ତ୍ୟାଗ ଭରିରହିଛି ବୋଲି ବଲାଙ୍ଗିରର ପିପି ଏକାଡେମୀ ହାଇସ୍କୁଲର ସଭାକକ୍ଷରେ ସାହିତ୍ୟ ଅନୁଷ୍ଠାନ “ରଚନା” ପକ୍ଷରୁ ଆୟୋଜିତ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତାରେ “ଜଗତ ଉଦ୍ଧାର ହେଉ” ଶୀର୍ଷକରେ ହୋଇଥିବା  ଆଲୋଚନାଚକ୍ରରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଡ.ଗୌରହରୀ ଦାସ ମତବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସାହିତ୍ୟର ଭୂମିକା ବର୍ଷା ପରି । ବର୍ଷା ଯେଭଳି ନୂଆ ଜଗତ ସୃଷ୍ଟିପାଇଁ ସହାୟ ହୋଇଥାଏ ଠିକ ସେହିପରି ସାହିତ୍ୟ ନୂତନ ସୃଜନ ସଂସାର ଆରମ୍ଭ କରିଥାଏ । ସଂସାର ଆବେଗ ବିନା ରହିପାରିବ ନାହିଁ । ଏହି ଅବେଗର ନିଦର୍ଶନ ଓଡିଆ ସାହିତ୍ୟରେ ଭରି ରହିଛି । ମଣିଷର ଚେତନାକୁ ସାହିତ୍ୟ ଆଲୋକିତ କରିଥାଏ । ଶବ୍ଦକୁ ସେ ସବୁଠୁ ସମୃଦ୍ଧ ଓ ଶକ୍ତିଶାଳୀ ଅସ୍ତ୍ର ବୋଲି ବିବେଚନା କରିଥିଲେ । ମାତ୍ର ଗୋଟିଏ କଟୁଶବ୍ଦର ବେଦନା ଓ ଯନ୍ତ୍ରଣା ମଣିଷକୁ ଦୀର୍ଘଦିନ ଧରି ଆଘାତ ଦେଇଥାଏ । ତେଣୁ ଶବ୍ଦପ୍ରୟୋଗ ବେଳେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ସାହିତ୍ୟ ଅଭିଜ୍ଞତା ଦେଇଥାଏ ଓ ଏହି ଅଭିଜ୍ଞତା ମଣିଷକୁ ବଦଳାଇ ଦେଇଥାଏ । ଭାରତର ଦୁଇଟି ମହାନକିର୍ତ୍ତି ମହାଭାରତ ଓ ରାମାୟଣରେ ମଧ୍ୟ ପ୍ରେମ, କରୁଣା ଓ ଆବେଗର ଅନେକ ଉଦାହରଣ ରହିଛି ବୋଲି ଡ.ଦାସ କହିଥିଲେ । “ରଚନା”ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଭାଗିରଥି ମିଶ୍ର ସ୍ୱାଗତ ଅଭିଭାଷଣ ଓ ରାଜୀବଲୋଚନ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ସ୍ୱର୍ଗତଃ ଗଗନ ସ୍ୱାଇଁଙ୍କ କବିତା ଓ ଗଳ୍ପକୁ କବି ପ୍ରହଲ୍ଲାଦ ଶତପଥି, ବନ୍ଦନା ପଟ୍ଟନାୟକ, ଜଗନ୍ନାଥ ସାହୁ ଓ ସୌମ୍ୟାଋତୁପର୍ଣ୍ଣା ତ୍ରୀପାଠୀ ପାଠ କରିଥିଲେ । ଶେଷରେ ରତ୍ନମୟ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ମଧୁସୂଦନ ପତି, ପ୍ରଫେସର ଘନଶ୍ୟାମ ପଣ୍ଡା, ରମେଶଚନ୍ଦ୍ର ପୁରୋହିତ, ଗାଳ୍ପିକା ଗାୟତ୍ରୀ ସରାଫ, ଅଧ୍ୟାପକ ଅକ୍ଷୟ ସାହୁ, କୌତୁକ ପନ୍ଦର, ସାମ୍ବାଦିକ ମନୋରଂଜନ ଯୋଷୀ, ଅଖିଳ ହୋତା ପ୍ରମୁଖଙ୍କ ସହିତ ଶତାଧିକ ସାହିତ୍ୟପ୍ରେମୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here