ପରଲୋକରେ ପ୍ରଫେସର ସଞ୍ଜୟ କୁମାର ଶତପଥୀ

0
52

ଭୁବନେଶ୍ୱର/ ଭବାନୀପାଟଣା,୨୫/୧୨,(ଜେଏନ୍ଏସ୍ ବ୍ୟୁରୋ) ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡିର ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ( ୬୩) ଙ୍କ ବୁଧବାର ପରଲୋକ ଘଟିଛି । କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରଫେସର ଶତପଥୀ ଦୀର୍ଘଦିନରୁ ଅସୁସ୍ଥ ଥିଲେ । କିଛିଦିନ ତଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥ‌ିବା କୁହାଯାଉଛି । ପୁରୀ ସ୍ୱର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଫେସର ଶତପଥୀଙ୍କ ବିୟୋଗରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଫେସର ଶତପଥୀ ଶିକ୍ଷାବିତ୍ ହେବା ସହ ଜଣେ ସୁବକ୍ତା, ଉଦ୍‌ଘୋଷକ, ସଂସ୍କୃତି ଗବେଷକ ଭାବେ ଜଣାଶୁଣା ଥିଲେ । ଜଣେ ବିଶିଷ୍ଟ ରଥଯାତ୍ରା ଭାଷ୍ୟକାର ଭାବେ ସେ ସମଗ୍ର ରାଜ୍ୟରେ ପରିଚିତ ଥିଲେ । ଦୂରଦର୍ଶନରେ ଏକାଧିକ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ ସେ କାର୍ଯ୍ୟ ନିର୍ବାହ କରିଥିଲେ । ରେଭେନ୍ସା କଲେଜରେ ସ୍ନାତକୋତ୍ତର କରିବା ପରେ ସେ ୧୯୮୪ରେ କଟକ କଲେଜରେ ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଠଗଡ଼ର ଗୋପବନ୍ଧୁ ମହାବିଦ୍ୟାଳୟ, ରାଉରକେଲାର ସାନ୍ଧ୍ୟ ମହାବିଦ୍ୟାଳୟ, ଭବାନୀପାଟଣା କଲେଜ, ବାଲେଶ୍ୱର ଫକିର ମୋହନ ମହାବିଦ୍ୟାଳୟ, ବାରିପଦା କଲେଜ, ଭୁବନେଶ୍ଵର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ନେଇଥିଲେ । ୨୦୨୧ରେ ପ୍ରଫେସର ଶତପଥୀ ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଥିଲେ । ପ୍ରଫେସର ଶତପଥୀଙ୍କ ଦେହାନ୍ତରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here