ଜଳ କଷ୍ଟରେ ଟିଟିଲାଗଡ଼ ଉପଖଣ୍ଡବାସୀ ; ବିଭାଗୀୟ ଅଧିକାରୀଙ୍କ କୁମ୍ଭୀର କାନ୍ଦଣା

0
27

ଟିଟିଲାଗଡ଼,୧୬/୦୪/୨୦୨୫(ଜେଏନ୍ଏସ୍), ଟିଟିଲାଗଡ଼ ଉପଖଣ୍ଡରେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା ବେଳେ ଜଳ ସେଚନ ଓ ଜଳ ଯୋଗାଣ ଉଭୟ ବିଭାଗର ବିଭିନ୍ନ ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଥିବା ଦେଖିବାକୁ ମିଳିଛି । ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ପାନୀୟ ଜଳ ପାଇଁ ଡ଼ହକବିକଳ ହେଉଥିବା ବେଳେ ଚାଷ ପାଇଁ ଆବଶ୍ୟକ ପାଣି ନ ପାଇ ଚାଷୀ କୁଳ ହତାଶ ହୋଇଛନ୍ତି । ଖରିଫ ଋତୁ ଚାଷ ପାଇଁ ଉଦ୍ଧିଷ୍ଟ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ ରୂପେ ଠପ୍ ହୋଇଯାଇଥିବା ଦେଖାଯାଇଛି । ପୂର୍ବ ସରକାର ଅମଳରେ ରାଜ୍ୟରେ ବିଭିନ୍ନ ଅନ୍ତଃନଦୀଶର୍ଯ୍ୟା ଜଳ ଭଣ୍ଡାର ପ୍ରକଳ୍ପ ଅନୁମୋଦନ ହୋଇଥିଲା । ଏଥିପାଇଁ ଆବଶ୍ୟକ ଅର୍ଥର କୌଣସି ବ୍ୟବସ୍ଥା କରା ନ ଯାଇ ଏପରିକି ପ୍ରକଳ୍ପ ପୂର୍ବରୁ ଗ୍ରାଉଣ୍ଡ ଜିରୋ ସର୍ଭେ ମଧ୍ୟ କରା ନ ଯାଇ କେବଳ ନିର୍ବାଚନ ବୈତରଣୀ ପାର ହେବାକୁ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିବା ଅଭିଯୋଗ ଉଠିଛି । ଏହି  ପରିପ୍ରେକ୍ଷୀରେ ଜଳସମ୍ପଦ ବିଭାଗ ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଲାନ୍ଥ ନଦୀରେ ସଇଁତଳା ତୁଷ୍ଟାପାଲି ଠାରେ, ଉନ୍ଦେର ନଦୀର ପଥର୍ଲା ଠାରେ, ତେଲ ନଦୀରେ କୁଇକେଡ଼ ମାଲ ଓ ଅମାଠର ନୁନମାଠ ଠାରେ ଘୋଷିତ ହୋଇଥିବା  ଅନ୍ତଃନଦୀଶର୍ଯ୍ୟା ପ୍ରକଳ୍ପ ଗୁଡ଼ିକ ସରକାର ପରିବର୍ତ୍ତନ ପରେ ବାତିଲ ହୋଇଯାଇଛି । ପୂର୍ବ ସରକାର ପାନୀୟ ଜଳ ଯୋଗାଣ ଓ ଜଳ ସେଚନ କ୍ଷେତ୍ରରେ ଅଞ୍ଚଳବାସୀଙ୍କୁ ପ୍ରତାରଣା କରିଥିବା ନେଇ ସ୍ଥାନୀୟ ବିଧାୟକ ନବୀନ ଜୈନ ପ୍ରକାଶ କରିଥିବା ବେଳେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ କେଉଁ ତଥ୍ୟ ଆଧାରରେ ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ସ୍ଥାନ ନିରୂପଣ କରିଥିଲେ ଯାହା ଫଳରେ ବହୁ ପ୍ରକଳ୍ପ ଫେଲ ମାରିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରୋପ୍ୟ ରଞ୍ଜନ ବେହେରା ଜଳର ଉତ୍ସ ହ୍ରାସ ପାଇଥିବା ଯୋଗୁଁ  ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ଫେଲ ମାରିଥିବା ଏବଂ ଏହାର ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଟ୍ୟାଙ୍କର ଯୋଗେ ବିଭିନ୍ନ ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା କରାଯାଉଥିବା ପ୍ରକାଶ କରିଛନ୍ତି । ତେବେ ଜଳ ଯୋଗାଣ ଓ ଜଳ ସେଚନ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ କେଉଁଠି ଲୋ ଭୋଲଟେଜ୍ ସମସ୍ୟା, କେଉଁଠି ବାରମ୍ବାର କେବୁଲ ଚୋରି, ତ କେଉଁଠି ମୋଟର ପୋଡିଯାଇଥିବା ଆଦି ସମସ୍ୟା ବର୍ଷ ତମାମ ଲାଗିରହିଥିବା ବେଳେ ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟୀତ୍ୱରେ ଥିବା ସଂପୃକ୍ତ ଠିକାଦାର କରୁଛନ୍ତି କଣ ତାହାକୁ ନେଇ ପ୍ରଶ୍ନ ଉଠିଛି ? ସଂପୃକ୍ତ ଠିକାଦାର  ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ  ଏତେ ସଂଖ୍ୟାରେ ପ୍ରକଳ୍ପ ଫେଲ ମାରିଥିବା ସାଧାରଣରେ ଚର୍ଚ୍ଚା ଉଠିଛି ।

LEAVE A REPLY

Please enter your comment!
Please enter your name here