ସାହିତ୍ୟ ସଂସ୍କୃତି ପକ୍ଷରୁ ବିଷୁବ ମିଳନ

0
26

ଟିଟିଲାଗଡ଼,୧୪/୦୪/୨୦୨୫(ଜେଏନ୍ଏସ୍), ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସାରସ୍ଵତ ଚେତନାର ବାର୍ତାବହ ସାହିତ୍ୟ ସଂସ୍କୃତି ଆନୁକୁଲ୍ୟରେ ବିଷୁବ ମିଳନ ଉତ୍ସବ ପାଳିତ ହୋଇଛି । ଅନୁଷ୍ଠାନର ସଭାପତି ଜ୍ୟୋତିପ୍ରକାଶ ଗଡ଼ତ୍ୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚେତାବନୀ ସାହିତ୍ୟ ସଂସଦ କେସିଙ୍ଗାର ସଭାପତି ଗାଳ୍ପିକା ଯାଜ୍ଞସେନୀ ଶାହା ମୁଖ୍ୟ ଅତିଥି ଏବଂ ଖଡ଼ିଆଳ ସାହିତ୍ୟ ସଂସଦର ସମ୍ପାଦକ ଗୌରାଙ୍ଗ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଶାହା ଓଡ଼ିଆ ନବବର୍ଷ ଓ ବିଷୁବ ମିଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ସାହୁ ସମାଜରେ ଦେଖା ଦେଇଥ‌ିବା ଅପସଂସ୍କୃତିର ଅବକ୍ଷୟକୁ ରୋକିବା ପାଇଁ ପଦକ୍ଷେପ ନିଆ ନଗଲେ ଅପସଂସ୍କୃତିକୁ ଲଗାମ ଦିଆ ଯାଇପାରିବ ନାହିଁ ବୋଲି କହିଥିଲେ । ଏହି ଅବସରରେ ପ୍ରଦୀପ କୁମାର ପଣ୍ଡାଙ୍କୁ ଶିକ୍ଷା ସମ୍ମାନ, ରାଜୀବ ଲୋଚନ ପାଢୀଙ୍କୁ ବିଷୁବ ସମ୍ମାନ, ସୁଚିସ୍ମିତା ଷଡ଼ଙ୍ଗୀଙ୍କୁ ଶିଳ୍ପୀ ସମ୍ମାନ ଓ କୋଶଲୀ ସମ୍ମାନରେ ସୁଶାନ୍ତ ବାଗଙ୍କୁ ଉତ୍ତରୀୟ ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସେବକ ଚରଣ ଦାଶଙ୍କ ପୁସ୍ତକ “ସେବାର୍ ମୂଲେ” ଓ ଅନୁଷ୍ଠାନର ସ୍ମରଣିକା ଅତିଥିବୃନ୍ଦଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସଭା ପ୍ରାରମ୍ଭରେ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅତିଥିବୃନ୍ଦ ପ୍ରଭୁ ଜଗନ୍ନାଥ ଓ ସରସ୍ଵତୀଙ୍କ ଫଟୋଚିତ୍ର ଉପରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ଜ୍ଵଳନ କରି ପୂଜା ଅର୍ଚ୍ଚନା କରିଥିଲେ। ବରିଷ୍ଠ ସଭ୍ୟ ଜଗନ୍ନାଥ ପଣ୍ଡା ସ୍ଵାଗତ ଭାଷଣ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ପ୍ରମୋଦ କୁମାର ପାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାର ସଫଳ ସଂଯୋଜନା କବି ଭିକାରୀ ଚରଣ ମିଶ୍ର କରିଥିବା ବେଳେ ଶେଷରେ ବ୍ରହ୍ମାନନ୍ଦ ପୁହାଣ ଧନ୍ୟବାଦ ଦେଇଥିଲେ । ପ୍ରଶସ୍ତିପତ୍ରଗୁଡ଼ିକ ଶିଶୁ ମନ୍ଦିରର ଶିକ୍ଷକ ଶିକ୍ଷୟତ୍ରୀ ପାଠ କରିଥିଲେ । ଏହି ଅବସରରେ ଉତ୍ସବରେ ଯୋଗ ଦେଇଥ‌ିବା ସମସ୍ତ ଦର୍ଶକଙ୍କୁ ପଣା ବିତରଣ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ କବି ଯୁଗଳକିଶୋର ଷଡ଼ଙ୍ଗୀଙ୍କ ସଂଯୋଜନାରେ ବହୁ ଭାଷୀ କବିତା ପାଠୋତ୍ସବର ଆସର ଜମିଥିଲା । କବି ଭିକାରୀ ଚରଣ ମିଶ୍ର, ନୀଳମଣୀ ସାହୁ, ସଞ୍ଜୟ ଅଗସ୍ତି, ନଟବର ସ୍ଵାଇଁ ପ୍ରମୁଖଙ୍କ ସମେତ ୫୦ରୁ ଉର୍ଦ୍ଧ୍ଵ କବି ସ୍ୱରଚିତ କବିତା ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here