“ଭୀମପାହାଡ଼ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକରେ ଆଲୋଚନାଚକ୍ର

0
96

ବଲାଙ୍ଗିର,୦୪/୧୧,(ଜେଏନ୍ଏସ୍) ବଲାଙ୍ଗିର ଜିଲ୍ଲାର ଐତିହ୍ୟସ୍ଥଳୀ ଭୀମଡୁଙ୍ଗୁରୀ ଠାରେ ଐତିହ୍ୟ ଓ ସଂସ୍କୃତିର ଗବେଷଣା ପାଇଁ ଏକ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବାକୁ  ଭୀମପାହାଡ଼ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ବିଶିଷ୍ଟ ସଂସ୍କୃତି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକଭାବରେ ସଂସ୍କୃତି ଓ ଭାଷା ଗବେଷକ ଡକ୍ଟର ଦୋଳଗୋବିନ୍ଦ ବିଶି, ଡକ୍ଟର ସଂଜୟ କୁମାର ମିଶ୍ର ଓ ରାଜୀବ ସଗରିଆ ଯୋଗଦେଇ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଆଦିମ ଯୁଗରୁ ମଣିଷ ପାହାଡ଼ ଓ ଜଙ୍ଗଲରେ ବସବାସ କରିଆସିଛି । ଆଦିମ ଜନଜାତିମାନେ ପାହାଡ଼/ଡଙ୍ଗରକୁ ସେଥିପାଇଁ ପୂଜାକରି ପରିବେଶର ସୁରକ୍ଷା କରିଆସିଛନ୍ତି । ଆଦିବାସୀଙ୍କ ମୂଳଦେବତା ଭୀମାବୁଢାର ଅନେକ ଇତିହାସ ରହିଛି । ସେଥି ମଧ୍ୟରୁ ଭୀମପାହାଡ଼ ଅନ୍ୟତମ । ଭୀମାବୁଢାର ଇତିହାସ ସହିତ ଭୀମପାହାଡ଼ର ସାମଞ୍ଜସ୍ୟ ରହିଛି । ତେଣୁ ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ । ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ପାହାଡ଼ର ଏକ ବୀରଗାଥା ରହିଛି । ଭୀମଡୁଙ୍ଗୁରୀରେ ଧରମସିଂମାଝୀ ମାନଧାତା, ରେଣ୍ଟୋ ମାଝୀ ଓ ଚକରା ବିଶୋଇଙ୍କ ଇତିହାସ ରହିଛି । ସେହିପରି ମୁଙ୍ଗେ ପାହାଡ଼ରେ ଶହୀଦ ମୋହନ ମାଝୀଙ୍କ ଇତିହାସ ଯୋଡିହୋଇ ରହିଛି । ତେଣୁ ଏହାକୁ ଉଦଜିବିତ କରିବାର ସମୟ ଆସିଛି ବୋଲି ଗବେଷକ ଶ୍ରୀ ସଗରିଆ ଉଲ୍ଲେଖ କରିଥିଲେ । ସେହିପରି ଡ.ସଂଜୟ ମିଶ୍ର ବଲାଙ୍ଗିର ଜିଲ୍ଲାର ପାହାଡ ସାଂସ୍କୃତିକୁ ନେଇ ଆଲୋଚନ କରିଥିଲେ । ବଲାଙ୍ଗିର ଜିଲ୍ଲାର ଗନ୍ଧମାର୍ଦ୍ଧନଠୁ ନେଇ  ଭୀମଡୁଙ୍ଗୁରୀ ପର୍ଯ୍ୟନ୍ତ ସବୁଠି ଏତିହ୍ୟ ଭରିରହିଛି । ଆମେ ତାର କେବଳ ସୁରକ୍ଷା କରିବା ସହ ଏହାର ଇତିହାସକୁ ପୁନଃଜୀବିତ କରିବାର ଆବଶ୍ୟକତା ରହିଛି । ଆଜି ବିକାଶ ନାମରେ ଐତିହ୍ୟ,ସଂସ୍କୃତିକୁ ସମାପ୍ତ କରିଦେଇ ବିଭିନ୍ନ ପାହାଡ଼ ପର୍ବତରେ ଖଣିଖନନ କରି ଧ୍ୱଂଶ କରିଦେଉଥିବା ଘଟଣାକୁ ନେଇ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିଥିଲେ ଓ ଏହାର ସୁରକ୍ଷା ଆଗାମୀ ପିଢି ହାତରେ ରହିଛି ବୋଲି କହିଥିଲେ । ତେଲନଦୀ ଅବବାହିକାରେ ଅନେକ ଉନ୍ନତ ସଭ୍ୟତା ଥିବାର ପ୍ରମାଣ ମିଳିଥିବା ଡକ୍ଟର ବିଶି ଉଲ୍ଲେଖ କରିଥିଲେ । ବଲାଙ୍ଗିର ବିଭିନ୍ନ ପାହାଡ଼ ପର୍ବତରେ ଥିବା ରେଖାଚିତ୍ର, ତନ୍ତ୍ରଚକ୍ର ଓ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କଲେ ଏଠାରେ ପ୍ରାଗଐତିହାସିକ ଯୁଗର ଇତିହାସ ରହିଆସିଛି । ଆଦିବାସୀଙ୍କ ଭୀମାଦେବତାର ଏକ ବିଶାଳ ଇତିହାସ ରହିଛି ଏବଂ ସେହି ଇତିହାସ ଭୀମଡୁଙ୍ଗୁରୀ ସହିତ ଜଡିତ ରହିଛି । ରାଣୀପୁର ଝରିଆଳ, କୁମୁଡ଼ା  ସହ ଭୀମଡୁଙ୍ଗୁରୀର ଐତିହ୍ୟ ଗବେଷଣାର ଆବଶ୍ୟକତା ରହିଛି । ଭୀମଡୁଙ୍ଗୁରୀର ଐତିହ୍ୟ ଓ ସଂସ୍କୃତି ସହିତ ଆମଅଞ୍ଚଳର ଅନ୍ୟାନ୍ୟ ଐତିହ୍ୟସ୍ଥଳୀର ଗବେଷଣା ଠିକରେ ହୋଇପାରୁନାହିଁ । ଜାଣିଶୁଣି ଆମ ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ଡକ୍ଟର ବିଶି କହିଥିଲେ । ତେଣୁ ଭୀମଡୁଙ୍ଗୁରୀରେ ଏକ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଗବେଷକଗଣ ମତ ଦେଇଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ କିଶୋର କୁମାର ସାହୁ ଓ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଆଲୋଚନାଚକ୍ରରେ ଆଞ୍ଚଳିକ ମହାବିଦ୍ୟାଳୟ ଉପରଝର, ଗୌରଗୋଠ ଡିଗ୍ରୀକଲେଜ, ଜରାସିଂହା କଲେଜ, ମହିମୁଣ୍ଡା କଲେଜ, କଣ୍ଟାବାଞ୍ଜି କେ. ଭି. କଲେଜର ଅଧ୍ୟାପକ ଓ ଶତାଧିକ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ କଲେଜର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here