ଗୋଚର ଜମି ବେଆଇନ ଜବର ଦଖଲ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

0
150

ଟିଟିଲାଗଡ଼,୨୭/୦୯,(ଜେଏନଏସ), ଟିଟିଲାଗଡ଼ ଓମ୍ ଭେଲୀ ସ୍କୁଲ ବେଆଇନ ଗୋଚର ଜମି ଜବରଦଖଲ ମାମଲାରେ କିଛିଦିନ ପୂର୍ବରୁ ଉଚ୍ଚ ନ୍ୟାୟାଳୟ ଏକ ନିର୍ଦ୍ଦେଶ ନାମା ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ତହସିଲଦାରଙ୍କ ତଦନ୍ତ ରିପୋର୍ଟ ପତ୍ର ସଂଖ୍ୟା ୧୯୨୧/୨୪ ଆଧାରରେ ଉପଜିଲ୍ଲାପାଳ ରେହାନ ଖତ୍ରୀ ଓମ୍ ଭେଲୀ ସ୍କୁଲ ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି । ଉପଜିଲ୍ଲାପାଳ କାର୍ଯ୍ୟାଳୟ ପତ୍ରସଂଖ୍ୟା ୫୩୭୭/୨୪ ଓପିଏଲ୍ଇ ଆକ୍ଟ ମୁତାବକ ମାମଲା ରୁଜୁ ସହ ଜୋରିମାନା ଆଦାୟକରି ଗୋଚର ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଟିଟିଲାଗଡ଼ ବ୍ଲକ ବାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଚାହାଁରଭଟା ଠାରେ ପ୍ଲଟ ନଂ ୩୨୮/ ଖାତା ନଂ ୭୦ କିସମ-ଗୋଚର ଥିବା ୧୦ ଏକର ୫୦ ଡିସିମିଲ ଜମିକୁ  ଓମଭେଲି ସ୍କୁଲ ବେଆଇନ ଭାବରେ ଜବର ଦଖଲ କରିଥିବା ନେଇ ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବହିଦାର ଅଭିଯୋଗ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଏହି ଗୋଚର ଜମିକୁ ଜବର ଦଖଲ  କରିବା ସହ ସ୍କୁଲ ଓ ହଷ୍ଟେଲ କୋଠା ନିର୍ମାଣ ପାଇଁ ଡି.ଆର କେସ ନଂ ୧/୨୦୦୭ ମୁତାବକ ଟିଟିଲାଗଡ଼ ତହସିଲଦାରଙ୍କ ନିକଟରେ ଏହି ଜମି ଲିଜ ସୂତ୍ରରେ ନେବାକୁ ଆବେଦନ କରିଥିଲେ । ତେବେ ଟିଟିଲାଗଡ଼ ତହସିଲଦାର ଗୋଚର ଜମିକୁ ଲିଜ ଦିଆ ନ ଯିବା ନିୟମ ଥିବା ଦର୍ଶାଇ ଏହି କେସକୁ ବନ୍ଦ କରିବା ସହ ସଂପୃକ୍ତ ପ୍ରକଳ୍ପ ପାଇଁ ଅନ୍ୟ ଜାଗା ଦେଖି  ଆବେଦନ କରିବାକୁ ଆବେଦନ କାରୀଙ୍କୁ ଆଦେଶ ଦେଇଥିଲେ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ସ୍କୁଲ ପକ୍ଷରୁ ଆବେଦନ ହୋଇଥିବା ରିଟ ପିଟିସନ ନଂ ୧୭୭୯୭/୨୪ ମାମଲାର ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିବାକୁ ମନା କରିବା ସହ ୩ ମାସ ମଧ୍ୟରେ ଆଇନ ଅନୁଯାୟୀ ଟିଟିଲାଗଡ଼ ତହସିଲଦାର ନିଷ୍ପତ୍ତି ଗ୍ରହଣକରି ଆବେଦନକାରୀଙ୍କୁ ଜଣାଇବାକୁ ଆଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ମାମଲାରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ରିପୋର୍ଟ ପ୍ରଦାନ କରିବାକୁ ତହସିଲଦାରଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୁଚନା  ମିଳିଛି ।

LEAVE A REPLY

Please enter your comment!
Please enter your name here