ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

0
96

ଟିଟିଲାଗଡ଼,୨୨/୦୮(ଜେଏନ୍ଏସ୍): ସ୍ଥାନୀୟ ଜୈନ ଭବନ ପରିସରରେ ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟ ଅତିଥି,ଏସଡିପିଓ ଅଙ୍କିତା କୁମ୍ଭାର ବିଶିଷ୍ଟ ଅତିଥି, ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ, ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ସାହିତ୍ୟିକ ଡ:ଛାୟାକାନ୍ତ ଷଡଙ୍ଗୀ ମୁଖ୍ୟବକ୍ତା ଭାବରେ ମଞ୍ଚାସିନ ଥିଲେ । ସଂଘର ସଭାପତି ଡାକ୍ତର ଘନଶ୍ୟାମ ଜୈନ ସଭା ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ବୃନ୍ଦାବନ ଷଡଙ୍ଗୀ ସଭା ସଂଯୋଜନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ବରିଷ୍ଠ ନାଗରିକ ସଂଘ ପାଇଁ ଏକ କାର୍ଯ୍ୟାଳୟ ତୁରନ୍ତ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ବରିଷ୍ଠ ନାଗରିକମାନଙ୍କ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସ ବିଭାଗ ସର୍ବଦା ତତ୍ପର ରହିଛି ଏବଂ ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦେବା କ୍ଷେତ୍ରରେ ସମସ୍ତ ସହଯୋଗ କରାଯିବ ବୋଲି ବିଶିଷ୍ଟ ଅତିଥି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଷଡଙ୍ଗୀ ବରିଷ୍ଠ ନାଗରିକ ଦେଶ ଓ ସମାଜର ମସ୍ତିଷ୍କ ସଦୃଶ, ସେମାନେ ଦେଶ ଓ ଜାତିର ପଥ ପ୍ରଦର୍ଶକ । ତେଣୁ ସେମାନେ ସମସ୍ତ କ୍ଷେତ୍ରରେ ଆଦ୍ୟସ୍କରଣୀୟ ହେବା ବିଶ୍ଵ ପାଇଁ ମଂଗଳ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଅଶୀବର୍ଷ ଉପରାନ୍ତ ତଥା ଆଦର୍ଶ ବ୍ୟକ୍ତିତ୍ଵ ଭାବେ ଶ୍ରୀ ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା ଓ ଶ୍ରୀ ଭକ୍ତ ପ୍ରସାଦ ପାଢ଼ୀଙ୍କୁ ସଂଘ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଲେଖକ ଶ୍ରୀ ସେବକ ଚରଣ ଦାଶଙ୍କ “ଲଘୁ ଚେତନା ” ପୁସ୍ତକ ଲୋକାର୍ପିତ ହେବା ସହ ବଣ୍ଟନ କରାଯାଇଥିଲା । ସଭାପତି ଡାକ୍ତର ଜୈନ ସଂଘର ସାମାଜିକ ଦାୟିତ୍ୱ ଓ କାର୍ଯ୍ୟକ୍ରମ ଉପରେ ନିଜସ୍ୱ ପ୍ରସଙ୍ଗ ଉପସ୍ଥାପନ କରି ସମସ୍ତଙ୍କ ସାହାଯ୍ୟ ଲୋଡିଥିଲେ ଏବଂ ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ନିଜସ୍ୱ ରଚିତ ଏକ କୋଶଲୀ କବିତା ‘ଆଗୋ ଦଦା’ ଆବୃତ୍ତି କରିଥିଲେ । କାର୍ଯ୍ୟନିର୍ବାହୀ ସଂପାଦକ ଶ୍ରୀ ବନମାଳୀ ଦାଶ ସ୍ୱାଗତ ସଂଭାଷଣ ତଥା ସହ ସଂପାଦକ ଶ୍ରୀ ଅକ୍ଷୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here