ବଲାଙ୍ଗିର,୨୭/୧୧,(ଜେଏନ୍ଏସ୍), ଆଜି ବଲାଙ୍ଗିର ସହରର ରିଂରୋଡର ଚେକଗେଟପଡାରୁ ଏକ କଫସିରଫ ବୋଝେଇ ପିକଅପ ଗାଡିକୁ ଜବତ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ବଲାଙ୍ଗିର ପୋଲିସ ଏସଆଇ ସୁଚିସ୍ମିତା ଜେନା ପେଟ୍ରୋଲିଂ ଗାଡି ନେଇ ବୁଲୁଥିବା ବେଳେ ଗାଡିଟିକୁ ଯାଞ୍ଚ କରିଥିଲେ । ସେଥିରେ ୧୦କାର୍ଟୁନ (୧୨୦୦ବୋତଲ) କଫସିରଫ ଥିବା ଜଣାପଡିଥିଲା । ଅଧିକ ଯାଞ୍ଚ ବେଳେ ସେହି କଫସିରଫକୁ ବଲାଙ୍ଗିର ରାଜୀବ ନଗରର ବବଲୁ ବେହେରା ଆଣୁଥିବା ଜଣାପଡ଼ିଥିଲା । ବବଲୁକୁ ପୋଲିସ ଧରିଲା ପରେ ତାଠାରୁ ୧ଲକ୍ଷ ୭୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାରେ କଫସିରଫ ବୋଝେଇ ପିକଅଫ ଗାଡି (ଓଡି-୦୩-ଏବି-୧୭୯୦),୧୨୦୦ବୋତଲ ୱିନରେକ୍ସ କଫସିରଫ, ୫ଟି ମୋବାଇଲ ଓ ୧ଲକ୍ଷ ୭୨ ହଜାର ଟଙ୍କାର ନୋଟକୁ ଜବତ କରାଯାଇଛି । ଏହି ବେଆଇନ କାରବାର କରୁଥିବା ଅଭିଯୋଗରେ ରାଜୀବନଗରର ନିଶାମାଫିଆ ବବଲୁ ବେହେରା, ସଦରଥାନା ମିର୍ଦ୍ଦାପାଲିର ଗୁଲାବ ଅଦାବରିଆ ଓ ମାଧିଆପାଲିର ଶଶିକାନ୍ତ ସୁନାକୁ ପୋଲିସ ଗିରଫ କରିଛି। ଆଜି ଏନେଇ ବଲାଙ୍ଗିର ଟାଉନଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସଦର ଏସଡିପିଓ ପ୍ରଦୀପକୁମାର ସାହୁ, ଆଇଆଇସି ଅବନୀକୁମାର, ଲକ୍ଷ୍ମୀଯୋର ଥାନାର ଆଇଆଇସି ବନୀତା ପଧାନ, ଇନ୍ସପେକ୍ଟର ଅନୀତା ପଟନିଆ ପ୍ରମୁଖ ସୂଚନା ଦେଇଛନ୍ତି । ଏସଡିପିଓ କହିଛନ୍ତି ଯେ, ବଲାଙ୍ଗିର ସହରରେ ଏବେ ବବଲୁ ନିଶାକାରବାରର ମୁଖ୍ୟ କିଙ୍ଗପିନ ସାଜିଛି ଓ ବାହାରୁ କୋଡିନ କଫସିରଫ ମଗାଇ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ସମେତ ବରଗଡ ଜିଲ୍ଲାର ଗାଇସିଲେଟ, ପଦ୍ମପୁର, ବିଜେପୁର ଇତ୍ୟାଦି ଅଞ୍ଚଳକୁ ପଠାଉଛି । ତାକୁ ଧରିବା ପରେ ବାହାରୁ କେଉଁଠାରୁ ମାଲ ଆସୁଛି ଓ କିଏ କିଏ ନେଇ ବିକ୍ରି କରୁଛନ୍ତି ସେହି ଚେନକୁ ଧରାଯିବ ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି ।





