୧୨୦୦ ବୋତଲ କଫସିରଫ ବୋଝେଇ ପିକଅପ ଜବତ : ନିଶା ମାଫିଆ ବବଲୁ ବେହେରା ସମେତ ୩ ଗିରଫ ।

0
59

ବଲାଙ୍ଗିର,୨୭/୧୧,(ଜେଏନ୍ଏସ୍), ଆଜି ବଲାଙ୍ଗିର ସହରର ରିଂରୋଡର ଚେକଗେଟପଡାରୁ ଏକ କଫସିରଫ ବୋଝେଇ ପିକଅପ ଗାଡିକୁ ଜବତ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ବଲାଙ୍ଗିର ପୋଲିସ ଏସଆଇ ସୁଚିସ୍ମିତା ଜେନା ପେଟ୍ରୋଲିଂ ଗାଡି ନେଇ ବୁଲୁଥିବା ବେଳେ ଗାଡିଟିକୁ ଯାଞ୍ଚ କରିଥିଲେ । ସେଥିରେ ୧୦କାର୍ଟୁନ (୧୨୦୦ବୋତଲ) କଫସିରଫ ଥିବା ଜଣାପଡିଥିଲା । ଅଧିକ ଯାଞ୍ଚ ବେଳେ ସେହି କଫସିରଫକୁ ବଲାଙ୍ଗିର ରାଜୀବ ନଗରର ବବଲୁ ବେହେରା ଆଣୁଥିବା ଜଣାପଡ଼ିଥିଲା । ବବଲୁକୁ ପୋଲିସ ଧରିଲା ପରେ ତାଠାରୁ ୧ଲକ୍ଷ ୭୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାରେ କଫସିରଫ ବୋଝେଇ ପିକଅଫ ଗାଡି (ଓଡି-୦୩-ଏବି-୧୭୯୦),୧୨୦୦ବୋତଲ ୱିନରେକ୍ସ କଫସିରଫ, ୫ଟି ମୋବାଇଲ ଓ ୧ଲକ୍ଷ ୭୨ ହଜାର ଟଙ୍କାର ନୋଟକୁ ଜବତ କରାଯାଇଛି । ଏହି ବେଆଇନ କାରବାର କରୁଥିବା ଅଭିଯୋଗରେ ରାଜୀବନଗରର ନିଶାମାଫିଆ ବବଲୁ ବେହେରା, ସଦରଥାନା ମିର୍ଦ୍ଦାପାଲିର ଗୁଲାବ ଅଦାବରିଆ ଓ ମାଧିଆପାଲିର ଶଶିକାନ୍ତ ସୁନାକୁ ପୋଲିସ ଗିରଫ କରିଛି। ଆଜି ଏନେଇ ବଲାଙ୍ଗିର ଟାଉନଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସଦର ଏସଡିପିଓ ପ୍ରଦୀପକୁମାର ସାହୁ, ଆଇଆଇସି ଅବନୀକୁମାର, ଲକ୍ଷ୍ମୀଯୋର ଥାନାର ଆଇଆଇସି ବନୀତା ପଧାନ, ଇନ୍ସପେକ୍ଟର ଅନୀତା ପଟନିଆ ପ୍ରମୁଖ ସୂଚନା ଦେଇଛନ୍ତି । ଏସଡିପିଓ କହିଛନ୍ତି ଯେ, ବଲାଙ୍ଗିର ସହରରେ ଏବେ ବବଲୁ ନିଶାକାରବାରର ମୁଖ୍ୟ କିଙ୍ଗପିନ ସାଜିଛି ଓ ବାହାରୁ କୋଡିନ କଫସିରଫ ମଗାଇ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ସମେତ ବରଗଡ ଜିଲ୍ଲାର ଗାଇସିଲେଟ, ପଦ୍ମପୁର, ବିଜେପୁର ଇତ୍ୟାଦି ଅଞ୍ଚଳକୁ ପଠାଉଛି । ତାକୁ ଧରିବା ପରେ ବାହାରୁ କେଉଁଠାରୁ ମାଲ ଆସୁଛି ଓ କିଏ କିଏ ନେଇ ବିକ୍ରି କରୁଛନ୍ତି ସେହି ଚେନକୁ ଧରାଯିବ ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି ।

ପ୍ରକାଶ ଯେ,ବଲାଙ୍ଗିର ସହର ପଶ୍ଚିମଓଡିଶାର ନିଶା ହବ ପାଲଟିଯାଇଛି । ପୋଲିସ ବେଳେବେଳେ କିଛି କଫସିରଫ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ  କରୁଛି । କିନ୍ତୁ ସେମାନେ ଜେଲରୁ ବାହାରି ପୁଣିଥରେ ସେହି ନିଶା ବ୍ୟବସାୟରେ ଲିପ୍ତ ରହୁଛନ୍ତି । କଲିକତାରୁ କଟକ ଦେଇ ବଲାଙ୍ଗିରକୁ ମାଲ ଆସି ଏଠାରୁ ଅନ୍ୟାନ୍ୟ ଜିଲ୍ଲାକୁ ଚାଲାଣ କରାଯାଉଛି । ପୂର୍ବରୁ ପୋଲିସ ମିଶନ କ୍ଲିନ ଜରିଆରେ ବଲାଙ୍ଗିର ସହରର ଅନେକଗୁଡିଏ ନିଶା ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନେ ଅନେକଦିନ ପର୍ଯ୍ୟନ୍ତ ଜେଲରେ ରହିଲେ । କିନ୍ତୁ ଜେଲରୁ ମଧ୍ୟ ନିଶା କାରବାରକୁ କିଛି ନିଶାମାଫିଆ କଣ୍ଟୋଲ କରୁଥିବା ଅଭିଯୋଗ ଉଠିଥିଲା । ବଲାଙ୍ଗିର ସହରର କମ ବୟସର ପିଲାଙ୍କୁ କଫସିରଫ ବିକ୍ରିରେ ନିଯୁକ୍ତ କରାଯାଉଛି । ପ୍ରଥମେ ତାଙ୍କୁ କମ ଦରରେ ନିଶା ଖୋର କରିଦେଇ ପରେ ତାଙ୍କୁ କଫସିରଫ ଓ ନିଶା ଟାବଲେଟ ବିକ୍ରିରେ ନିଯୁକ୍ତ କରାଯାଉଛି । ଫଳରେ ସେମାନେ ସବୁ ନିଶା କାରବାର ସହିତ ସହରର ଅପରାଧିକ କାର୍ଯ୍ୟକଳାପରେ ସାମିଲ ହୋଇଯାଉଛନ୍ତି । ବଲାଙ୍ଗିର ସହରରେ ଅପରାଧିକ କାର୍ଯ୍ୟକଳାପ ବଢିବା ପଛରେ ନିଶା ଖୋର ଯୁବକଙ୍କ ଭୂମିକା ରହୁଛି । ପୋଲିସ ବେଳେ ବେଳେ ନିଶା କାରବାର ଉପରେ ଚଢାଉ କରୁଛି । କିନ୍ତୁ ତଥାପି ଅନେକ ପରିମାଣରେ ନିଶା କାରବାର ଚାଲୁରହୁଛି । ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୫୦ ହଜାରରୁ ଅଧିକ ବୋତଲ କଫସିରଫ ଜବତ କରାଯାଇ ପ୍ରାୟ ୩୦ଜଣଙ୍କୁ ଗିରଫ କରାଯାଇଥିଲା । କିଛିଦିନର ନୀରବତା ପରେ ପୁଣି ଥରେ ନିଶା କାରବାର ଚାଲିଲା । ଏବେ ପୁଣି ଯୋରସୋରରେ କାରବାର ଚାଲିଥିବା ବେଳେ ବହୁଦିନର ବ୍ୟବଧାନ ପରେ ପୋଲିସ କିଛି କଫସିରଫ ଧରିଛି ।

LEAVE A REPLY

Please enter your comment!
Please enter your name here