ଆରମ୍ଭ ରୁ ବିବାଦ ଘେରରେ ଗନ୍ଧମାର୍ଦ୍ଦନ ଶିଳ୍ପ ତାଲିମ କେନ୍ଦ୍ର

0
74

ଟିଟିଲାଗଡ଼,୨୮/୧୦,(ଜେଏନ୍ଏସ୍) ଶିଳ୍ପବିହୀନ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହର ନିକଟରେ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଗନ୍ଧମାର୍ଦ୍ଦନ ଆଇ.ଟି.ଆଇ. ଆରମ୍ଭରୁ ବିବାଦ ଘେରରେ ରହିଥିବା ଦେଖିବାକୁ ମିଳିଛି । ଏହି ସରକାରୀ ତାଲିମ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ନିର୍ମାଣଧିନ ଥିବାବେଳେ ତରବରିଆ ଭାବରେ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ବେଳେ ଏହାକୁ ଘଣ୍ଟ ଘୋଡାଇବାକୁ ଯାଇ ପାଠପଢା ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ ଆଦିର ସମସ୍ୟା ରହୁଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଛାତରୁ ସିଲିଂ ଖସିବା ଆରମ୍ଭ ହେବା ଦେଖିବାକୁ ମିଳିଛି ।

ସେହିପରି ଏହି ପରିସରରେ ଥିବା ହଷ୍ଟେଲ କୋଠାର ମଧ୍ୟ ଅନୁରୂପ ଅବସ୍ଥା । ନିର୍ମାଣ ପର ଠାରୁ  ହଷ୍ଟେଲଟି ଭୁତକୋଠୀ ପାଲଟି ଥିବାବେଳେ ଝରକା କବାଟରେ ଉଇ ଲାଗିବାକୁ ବସିଲାଣି । ବର୍ତ୍ତମାନ ଯାଏ ଏହି ପ୍ରକଳ୍ପର ନିର୍ମାଣ ଅସମ୍ପୂର୍ଣ୍ଣ ଥିବା ଏବଂ ପରିବେଶ ବିଭାଗ, ଅଗ୍ନିଶ୍ରମ ବିଭାଗର ମଞ୍ଜୁରୀ  ମିଳି ନ ଥିବା ଏପରିକି ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର ମଧ୍ୟ ହୋଇ ନଥିବା ବେଳେ କିଭଳି ତାଲିମ ପ୍ରଦାନ ଆରମ୍ଭ କରାଯାଇଛି ତାହା ତଦନ୍ତ ସାପେକ୍ଷ୍ୟ । ଏହି ତାଲିମ କେନ୍ଦ୍ରରେ ବର୍ତ୍ତମାନ ବୈଷୟିକ ତାଲିମ ଡ୍ରେସ ମେକିଙ୍ଗ, ଫିଟର, ଇଲୋକ୍ଟ୍ରୋନିସ, କମ୍ପୁଟର ହାର୍ଡୱେର, ଇଲେକ୍ଟ୍ରିସିଏନ ଆଦି ପାଞ୍ଚ ଗୋଟି ଟ୍ରେଡ଼ ଉପରେ ତାଲିମ ଦିଆଯାଉଥିବାବେଳେ ବିଦ୍ୟୁତ ସମସ୍ୟା ଯୋଗୁଁ ପ୍ରାକ୍ଟିକାଲ କ୍ଲାସ ବନ୍ଦ ଥିବା ଜଣାପଡିଛି ।କିଛିଦିନ ତଳେ ସ୍ଥାନୀୟ ବିଧାୟକ ନବୀନ ଜୈନ ଏହି ତାଲିମ କେନ୍ଦ୍ର ପରିଦର୍ଶନରେ ଯାଇ ସମସ୍ତ ସମସ୍ୟା ତଥା ନିମ୍ନ ମାନର କାର୍ଯ୍ୟ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ଘଟଣାକୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here