ସନାତନ ହିନ୍ଦୁ ଜାଗୃତି ମଞ୍ଚର ପ୍ରତିବାଦ ସଭା ବାଂଲାଦେଶରେ ହିନ୍ଦୁ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବୀ

0
50

ବଲାଙ୍ଗିର,୦୫/୧୨,(ଜେଏନ୍ଏସ୍),ସନାତନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆ ଠାରେ ହିନ୍ଦୁଧର୍ମର ସାଧୁ ସନ୍ୟାସୀ, ବଜରଙ୍ଗଦଳ, ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ଭଳି ସଂଗଠନର ହଜାର ହଜାର କର୍ମକର୍ତ୍ତା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱ ଓ ଦିଲିପ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବାଂଲାଦେଶ ସରକାରଙ୍କ ଅଭିମୁଖ୍ୟକୁ ତୀବ୍ର ସମାଲୋଚନା କରିବା ସହ ସେଠାରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଦମନ ଲୀଳାର ପ୍ରତିବାଦ କରିଥିଲେ ।

ବାଙ୍ଗଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଥିବା ଇସ୍କନର  ଚିନ୍ମୟକୃଷ୍ଣ ଦାସଙ୍କୁ ବାଂଲାଦେଶ ସରାକାର ଦେଶଦ୍ରୋହ ଭଳି ସଂଗୀନ ମାମଲାରେ ଗିରଫ କରି ଜେଲରେ ପୁରାଇବା ଘଟଣାକୁ  କଡା ସମାଲୋଚନା କରାଯାଇ ହିନ୍ଦୁଙ୍କ ସୁରକ୍ଷା ପାଇଁ ଜାତିସଂଘ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ମଞ୍ଚ ପକ୍ଷରୁ ମତ ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଭାଜପା ସଭାପତି ଶୀବାଜୀ ମହାନ୍ତି, ବରିଷ୍ଠନେତା ଗୋପାଳଜୀ ପାଣିଗ୍ରାହୀ, ମହିଳାମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ରଶ୍ମୀରେଖା ଦାନୀ, ଉପସଭାପତି ଶ୍ରୀବତ୍ସ ବେହେରା, ଆରଏସଏସର ବିଭାଗ ଚାଳକ ଜତିନ୍ଦ୍ର ମୋହନ ପାଠୀ, ପ୍ରଭାକର ପାତ୍ର, କମ୍ବୁପାଣି ପାଢୀ, ଦତ୍ତାନନ୍ଦ ପଣ୍ଡା, ହିନ୍ଦୁଜାଗରଣ ମଞ୍ଚର ସରସ୍ୱତୀ ନନ୍ଦ, ଜିଲ୍ଲା ବ୍ରାହ୍ମଣସମାଜର ସଭାପତି ଧନଞ୍ଜୟ ମିଶ୍ର, ଘନଶ୍ୟାମ ପଧାନ, ସୌମ୍ୟରଂଜନ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି ହିନ୍ଦୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏହି ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here