ଗନ୍ଧମାର୍ଦ୍ଦନକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ ପାଇଁ ଦାବି କଲେ ନିରଞ୍ଜନ

0
83

ବଲାଙ୍ଗିର,୦୫/୧୨,(ଜେଏନ୍ଏସ୍), ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଐତିହ୍ୟ ସମ୍ପନ୍ନ ଗନ୍ଧମାର୍ଦ୍ଦନକୁ ୟୁନେସ୍କୋ ବିଶ୍ଵ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ରାଜ୍ୟସଭାରେ ଦାବୀ ଉପସ୍ଥାପନା କରିଛନ୍ତି । ବଲାଙ୍ଗିର ଓ ବରଗଡ଼ ଜ଼ିଲ୍ଲା ମଧ୍ୟଭାଗରେ ଥିବା ଗନ୍ଧମାର୍ଦନ ପର୍ବତ ପ୍ରାକୃତିକ, ସାଂସ୍କୃତିକ ଏବଂ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବାରୁ ଏହାକୁ ବିଶ୍ୱପର୍ଯ୍ୟଟନ ସ୍ଥଳୀ ଘୋଷଣା କରିବାର ଆବଶ୍ୟକତା ଥିବା ସାଂସଦ ଶ୍ରୀ ବିଶି  ରାଜ୍ୟସଭାରେ ଦାବୀ ରଖିଥିଲେ । ୧୯ ହଜାର ହେକ୍ଟର ପରିସୀମା ବିଶିଷ୍ଟ ଗନ୍ଧମାର୍ଦନ ପର୍ବତରେ ବିଭିନ୍ନ ପ୍ରଜାତିର ବୃକ୍ଷଲତା, ଔଷଧୀୟ ଗୁଳ୍ମ, ପଶୁ ପକ୍ଷୀ, ସରୀସୃପଙ୍କ ବାସସ୍ଥଳୀ ହୋଇଥିବା ବେଳେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗନ୍ଧମାର୍ଦନ ପର୍ବତକୁ ଜୈବ ବିବିଧତା ଧରୋହର ସ୍ଥଳ ଘୋଷଣା କରିଥିବା ସାଂସଦ ଉଲ୍ଲେଖ କରିଥିଲେ । ଗନ୍ଧମାର୍ଦ୍ଧନ ପର୍ବତର ଦକ୍ଷିଣ ଦିଗରେ ଅଙ୍ଗ ନଦୀ ପ୍ରବାହିତ ହେଉଥିବା ବେଳେ ଉତ୍ତର ଅଂଶରେ ସୁକ୍ତେଲ ନଦୀ ପ୍ରବାହିତ ହୋଇ ଶୋଭା ବର୍ଦ୍ଧନ କରୁଛି । ଗନ୍ଧମାର୍ଦ୍ଧନ ପର୍ବତରୁ ୨୨ଟି ଝରଣା ସୃଷ୍ଟି ହୋଇ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ପାପନାଶିନୀ ଝରଣାକୁ ଗୁପ୍ତଗଙ୍ଗା ଭାବରେ ଲୋକ ମାନ୍ୟତା ରହିଛି । ଓଡିଶାରେ ଆୟୁର୍ବେଦର ସ୍ୱର୍ଗ ଭାବରେ ପରଚିତ ଗନ୍ଧମାର୍ଦ୍ଧନ ପର୍ବତର ଗୋଟିଏ ପଟେ ଭଗବାନ ନୃସିଂହନାଥ ବିରାଜମାନ ଥିବାବେଳେ ଆଉ ଗୋଟିଏ ପଟେ ଭଗବାନ ହରିଶଙ୍କର ବିରାଜମାନ ଅଛନ୍ତି । ତ୍ରେତୟା ଯୁଗର ସୀତା କୁଣ୍ଡ, ଗୋ କୁଣ୍ଡ, ଦ୍ୱାପର ଯୁଗର ଭୀମ ମଡୁଆ, ଭୀମ କୁଣ୍ଡ, ପଞ୍ଚୁ ପାଣ୍ଡଵ ଘାଟ ଆଦି କଳାକୃତି ଏଠାରେ ରହିଛି । ପ୍ରାଚୀନ କାଳରୁ ମୁନୀ ରୁଷିମାନଙ୍କ ଗୁମ୍ଫା ଏଠାରେ ଅବସ୍ଥିତ ଅଛି । ହରିଶଙ୍କର ମନ୍ଦିର ନିକଟରେ ହରିଣ ପାର୍କ ପ୍ରସିଦ୍ଧି ଲାଭ କରିଥିବା ସାଂସଦ ଶ୍ରୀ ବିଶି ରାଜ୍ୟସଭାରେ  ଉପସ୍ଥାପନା କରିବା ସହ ଏହାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦାବୀ କରିଥିଲେ । 

LEAVE A REPLY

Please enter your comment!
Please enter your name here