ଗନ୍ଧମାର୍ଦ୍ଦନ ସୁରକ୍ଷାଆନ୍ଦୋଳନକୁ ସମର୍ଥନ ବଢୁଛି

0
69

ବଲାଙ୍ଗିର,୧୦/୧୨,(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ତହସିଲ ସମ୍ମୁଖରେ ଗତ ନଭେମ୍ବର ୨୫ ତାରିଖରୁ ଗନ୍ଧମାର୍ଦ୍ଦନର ସୁରକ୍ଷାକୁ ନେଇ ଚାଲିଥିବା ଧାରଣାକୁ ବିଭିନ୍ନ ସ୍ତରରୁ ସମର୍ଥନ ବଢୁଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖା ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନକୁ ପାଟଣାଗଡ଼ର ପୂର୍ବତନ ବିଧାୟକ ବିଜେଡିଦଳର ନେତା ସରୋଜ ମେହେର ସମର୍ଥନ ଦେଇ ତାଙ୍କର ସମର୍ଥକଙ୍କ ସହିତ ମିଶି ଧାରଣାରେ ଶୁକ୍ରବାର ସାମିଲ ହୋଇଥିଲେ । ଠିକ ସେହିପରି ରବିବାର ଦିନ କଂଗ୍ରେସଦଳର ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଗତ ୨୦୨୪ ସାଧାରଣ ନିର୍ବାଚନର କଂଗେସ ବିଧାୟକ ପ୍ରାର୍ଥି ଅନୀଲ ମେହେର ମଧ୍ୟ ପହଞ୍ଚି ଧାରଣାରେ ସାମିଲହୋଇ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ପଟ୍ଟନାୟକ ଏହି ଅବସରରେ ରାଜ୍ୟ ଓ କେନ୍ଦ୍ରରେ ଥିବା ଭାଜପା ସରକାରଙ୍କୁ ତୀବ୍ରସମାଲୋଚନା କରିଥିଲେ ।

ଗନ୍ଧମାର୍ଦ୍ଦନରେ କେବେ ମଧ୍ୟ ଖଣି ଖନନକୁ ସୁଯୋଗ ଦିଆଯିବ ନାହିଁ ବୋଲି କହି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଠିକ ସେହିପରି ଖପ୍ରାଖୋଲରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ଗନ୍ଧମାର୍ଦ୍ଦନର ସୁରକ୍ଷା ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଯୋଗଦେବାକୁ ଆସିଥିବା ବିଶିଷ୍ଟ ପରିବେଶବିଦ ତଥା ଗ୍ରୀନନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଓ ଚାଷିନେତା ଲିଙ୍ଗରାଜ ମଧ୍ୟ ଯୁବପରିଷଦର ଆନ୍ଦୋଳନରେ ସାମିଲ ହୋଇଥିଲେ । ଗନ୍ଧମାର୍ଦ୍ଦନ ଓଡିଶାର ସ୍ୱାଭିମାନ ଓ ଅସ୍ମିତାର ପରିଚୟ । ସେହିପରି ବିଶିଷ୍ଟ ସୂଚନାଅଧିକାର କର୍ମୀ ହେମନ୍ତ ପଣ୍ଡା ମଧ୍ୟ ଧାରଣାସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ । ଲୋକଙ୍କ ଧାର୍ମିକ ଭାବନା ଓ ଜୀବନଜୀବିକା ସହିତ ଜଡିତ ଗନ୍ଧମାଦ୍‌ର୍ନରେ ଖଣି ଖନନ ହେଲେ ଜୈବବିଭିଦତା ନଷ୍ଟହେବ ଓ ପରିବେଶ ଅସନ୍ତୁଳିତ ହୋଇଯିବ । ପରିବେଶ ପ୍ରତି ପ୍ରତିକୂଳ ପ୍ରଭାବ ପଡିବ । ତେଣୁ ସରକାର ଗନ୍ଧମାର୍ଦ୍ଦନରେ କେବେ ମଧ୍ୟ ଖଣି ଖନନ ହେବନାହିଁ ବୋଲି ଏକ ସଂକଲ୍ପପତ୍ର ଘୋଷଣା କରନ୍ତୁ ବୋଲି ସମସ୍ତେ ଦାବି କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବପରିଷଦର ହରଶଙ୍କର ଶାଖାର ଆବାହକ ଜୟସିଂ ପୂଜାରୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ବଲାଙ୍ଗିର ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ସଂଗଠନ ଓ ନେତୃମଣ୍ଡଳି ପହଞ୍ଚି ସାମିଲ ହେଉଥିବା ଲକ୍ଷ୍ୟ କରାଯାଇଛି । ଗତ କିଛିମାସ ହେଲା ଆଦାନୀ କମ୍ପାନୀ ପକ୍ଷରୁ ଗନ୍ଧମାର୍ଦ୍ଦନର ଚାରପଟେ ବିଭିନ୍ନ ଗ୍ରାମରେ ଶହଶହ ଏକର ଜମି କିଣିନେଉଛି । ଫଲରେ ଗନ୍ଧମାର୍ଦ୍ଦନରେ ଖଣି ଖନନ କରିବାର ଭୟ ଲୋକଙ୍କୁ ଘାରିଛି । ସରକାର ବିଧାନସଭାରେ ଉତ୍ତର ରଖି ଗନ୍ଧମାର୍ଦ୍ଦନରେ ଖଣ ଖନନ ହେବ ନାହିଁ ବୋଲି କହିଛନ୍ତି । କିନ୍ତୁ ଏଥିରେ ଯୁବପରିଷଦ ସନ୍ତୁଷ୍ଟ ନହୋଇ ରାଜ୍ୟସରକାର ଗନ୍ଧମାଦ୍ଦ୍‌ର୍ନରେ କେବେ ମଧ୍ୟ ଖଣି ଖନନ ହେବ ନାହିଁ ବୋଲି ବିଧାନସଭାରେ ଏକ ସଂକଲ୍ପପତ୍ର ଘୋଷଣା କରନ୍ତୁ ବୋଲି ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here