ଭୀମପାହାଡ଼ ମହୋତ୍ସବର ତୃତୀୟ ସଂନ୍ଧ୍ୟା

0
132

ବଲାଙ୍ଗିର,୦୬/୧୧,(ଜେଏନ୍ଏସ୍) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳୀରେ ଚାଲିଥିବା ‘ଭୀମପାହାଡ଼ ମହୋତ୍ସବ’ ତୃତୀୟ ଦିନରେ ପହଂଚିଛି । ମହୋତ୍ସବର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥି, ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆୟୋଜକ ଓ ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି । ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରାପ୍ତ ହେବାପରେ ଭୀମପାହାଡ଼ର ବିକାଶ ହୋଇଥିବା ଏବଂ ଆଗକୁ ଆହୁରି ବିକାଶ ପାଇଁ ପ୍ରୟାସ ଜାରି ରଖିବାକୁ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ଏଥିସହ ଦେଓଗାଁ ବ୍ଲକର ଚାନ୍ଦଳି ପାହାଡ଼କୁ ମଧ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଗରେ ଉଦ୍ୟମ ଜାରି ରହିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ମହୋତ୍ସବ ଦ୍ୱାରା ଲୁକ୍କାୟିତ ପ୍ରତିଭାର ବିକାଶ ହେବା ସହ ଭାଇଚାରା ବୃଦ୍ଧି ପାଉଥିବା ମୁଖ୍ୟ ଅତିଥି ଶ୍ରୀ ସିଂଦେଓ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ କମିଟି ସଭାପତି ପ୍ରମୋଦ ବହିଦାର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଉପଦେଷ୍ଟା ସଦସ୍ୟ ଶୈଳେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବଲାଙ୍ଗିରର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନର ଅଙ୍କୁଶ ପାଣ୍ଡିଆ ଓ ସାଥି, ଟିଟିଲାଗଡ଼ ବ୍ଲକର ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ ଏବଂ ନୁଆପାଲି ଧନୁଯାତ୍ରା କମିଟିକୁ ଭୀମପାହାଡ଼ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏଥିସହ ପୂର୍ବତନ ସରପଞ୍ଚ ଶ୍ରଦ୍ଧାଞ୍ଜଳି ସାଏ, ଚକ୍ରଧର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ପୂର୍ବତନ ସରପଞ୍ଚ ସ୍ୱର୍ଗତ ଲଲିତା ଭୁଏଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। କମିଟି ପକ୍ଷରୁ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସହ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କମିଟି ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ, ରାକେଶ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here