
ଟିଟିଲାଗଡ,୯/୬(ଜେଏନଏସ), ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ରେ ଜଣେ ଛାତ୍ର ଓ ଛାତ୍ରୀ ଙ୍କ ଆପତ୍ତି ଜନକ ଆଚରଣ କୁ ଦର୍ଶାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ଚର୍ଚ୍ଚା ର ବିଷୟ ପାଲଟିଛି।କଲେଜ ପରିସରରେ ସଂପୃକ୍ତ ଛାତ୍ର ଛାତ୍ରୀ ଙ୍କ ଏଭଳି ଅନୈତିକ କାର୍ଯ୍ୟ କୁ ନେଇ କଲେଜ ର ଶୃଙ୍ଖଳା,ଅନୁଶାସନ ଓ ନିରୀକ୍ଷଣ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏହି ଗରିମାମୟ ଶିକ୍ଷା ଅନୁଷ୍ଠାନ ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ସହ ନୈତିକ ମୂଲ୍ୟବୋଧ ଓ ଶୃଙ୍ଖଳା ଗଠନର କେନ୍ଦ୍ରସ୍ଥଳ ଭାବରେ ରାଜ୍ୟ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏଭଳି ଘଟଣା ଶିକ୍ଷାବିତ୍,ଅଭିଭାବକ ତଥା ଶୃଙ୍ଖଳିତ ଛାତ୍ର ଛାତ୍ରୀ ଙ୍କୁ ଆନ୍ଦୋଳିତ କରିଛି।ଭାଇରାଲ ଭିଡିଓଟି କଲେଜ ର ସିସି ଟିଭି ଫୁଟେଜରୁ ମୋବାଇଲ ଫୋନ ଯୋଗେ ବାହାରକୁ ଆସିଥିବା ଚର୍ଚ୍ଚା ହେଉଥିବା ବେଳେ ଏହା ପଛରେ ଅନୁଷ୍ଠାନ ର ହିଁ କେଉଁ କର୍ମଚାରୀ ଙ୍କ ଭୂମିକା ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।ଘଟଣା କୁ ନେଇ କଲେଜ ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନ ଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

