ଟିଟିଲାଗଡ଼ରେ ୧୩୨ କେଭି ଗ୍ରୀଡ୍ ସ୍ଥାପନାକୁ ମିଳିଲା ମଞ୍ଜୁରୀ

0
61

ଟିଟିଲାଗଡ଼,୧୫/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ସହର ମଧ୍ୟରେ ୧୩୨ କେଭି ଗ୍ରୀଡ୍ ସ୍ଥାପନା କରିବାକୁ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଛି । ସହରବାସୀଙ୍କ ଦୀର୍ଘ ତିନି ଦଶନ୍ଧି ରୁ ଊର୍ଦ୍ଧ୍ଵ ସମୟ ଧରି ରହିଥିବା ଏହି ଦାବୀକୁ ମୋହନ ସରକାର ପୂରଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ  ଭୁବନେଶ୍ୱର ଲୋକସେବା ଭବନ ଠାରେ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଉପସ୍ଥିତ ଥିଲେ । ବୈଠକରେ ଟିଟିଲାଗଡ଼ରେ ଗ୍ରୀଡ୍ ନିର୍ମାଣ ପାଇଁ ଅନୁମତି ମିଳିଥିବା ସୂଚନା ମିଳିଛି । ଆଗାମୀ ୨ ବର୍ଷ ମଧ୍ୟରେ ଗ୍ରୀଡ୍ ସ୍ଥାପନା ସହ କାର୍ଯ୍ୟକ୍ଷମ ପାଇଁ ସ୍ଥିର କରାଯାଇଥିବା ବେଳେ ଏଥିପାଇଁ ଆବଶ୍ୟକ ୧୫ ଏକର ଜମି ଚୟନ କରିବାକୁ ବିଭାଗୀୟ ନିର୍ଦ୍ଦେଶ ଜାରି ହୋଇଛି । ପ୍ରକାଶ ଯୋଗ୍ୟ ଯେ, ଭୌଗଳିକ ଦୃଷ୍ଟି କୋଣରୁ ଲଣ୍ଡା ପାହାଡ଼ ପରିବେଷ୍ଟିତ ଟିଟିଲାଗଡ଼ ସହର ତତାଲାଗଡ଼ ଭାବରେ ପରିଚିତ । ଏଥିସହ ବିଦ୍ୟୁତ ବିଭ୍ରାଟ ସହରବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥାଏ । ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଅକ୍ଷମତା ଯୋଗୁଁ ସହରବାସୀଙ୍କ ପାଇଁ ଅତ୍ୟାବଶ୍ୟକ ଥିବା ୧୩୨ କେଭି ଗ୍ରୀଡ୍ ସ୍ଥାପନା ମରୀଚିକା ସଦୃଶ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ପ୍ରୟାସ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସହରବାସୀଙ୍କ ଦୀର୍ଘଦିନର ଏହି ଦାବୀ ପୂରଣ ହେବାକୁ ଯାଉଥିବାବେଳେ ଏଥିପାଇଁ ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ସିଂ ଦେଓ ଏବଂ  ସାଂସଦ ସଙ୍ଗୀତା ସିଂ ଦେଓ ଙ୍କ ନିକଟରେ ସହରବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ଜୈନ କୃତଜ୍ଞତା ଜ୍ଞାପନ କରିଛନ୍ତି। 

LEAVE A REPLY

Please enter your comment!
Please enter your name here