ଟିଟିଲାଗଡ଼ ଡାକ୍ତରଖାନାରେ ସୁଷମ ଖାଦ୍ୟ ପାଇବାରୁ ରୋଗୀ ବଞ୍ଚିତ

0
62

ଟିଟିଲାଗଡ଼,୧୩/୧୨,(ଜେଏନ୍ଏସ୍),ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରାଯାଉ ନ ଥିବା ନେଇ ଅଭିଯୋଗ ହୋଇଛି । ପ୍ରଚଳିତ ସରକାରୀ ବ୍ୟବସ୍ଥା ଅନୁଯାୟୀ ଚିକିତ୍ସାଧୀନ ରୋଗୀ ପିଛା ଦୈନିକ ୧୨୦ ଟଙ୍କା ମୂଲ୍ୟର ସୁଷମ ଖାଦ୍ୟ ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଛି । ବ୍ୟବସ୍ଥା ଅନ୍ତର୍ଗତ ସକାଳ ଜଳଖିଆ ସହ ମଧ୍ୟାହ୍ନ ଓ ରାତ୍ର ଭୋଜନ ଖାଦ୍ୟ ସାରଣୀ ଅନୁଯାୟୀ ରୋଗୀଙ୍କୁ ଦିଆଯିବା କଥା, ତେବେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଦୀର୍ଘ ଦିନଧରି ଏହାର ଖୋଲାଖୋଲି ଉଲଙ୍ଘନ କରା ଯାଉଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ସ୍ଥିତିରେ ସହର ମଧ୍ୟରେ ଏସ୍.ଡି.ଏଚ୍. ଓ ସହର ବାହାରେ ନୂତନ ଏମ୍.ସି.ଏଚ୍. ରହିଥିବା ବେଳେ ଉଭୟ ସ୍ଥାନରେ ରୋଗୀଙ୍କୁ ନିର୍ଦ୍ଧାରିତ ମୂଲ୍ୟର ସୁଷମ ଖାଦ୍ୟ ପ୍ରଦାନ ଠାରୁ ବଞ୍ଚିତ କରାଯାଉଛି । ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ସ୍ଥାନୀୟ ଆହାର କେନ୍ଦ୍ରରୁ ନିଆଯାଉଥିବା ବେଳେ ଏହି ଖାଦ୍ୟ ପ୍ରଦାନ ପାଇଁ “ଜନନୀ” ନାମକ ସ୍ଵୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଛି । ପୂର୍ବରୁ ରୋଗୀ ପିଛା ୫୦ ଟଙ୍କା ମୂଲ୍ୟ ନିର୍ଦ୍ଧାରିତ ରହିଥିବା ବେଳେ କ୍ରମାଗତ ଭାବରେ ଏହା ବୃଦ୍ଧି ପାଇ ୧୨୦ ଟଙ୍କା ହୋଇଛି । କିନ୍ତୁ ବର୍ଷ ବର୍ଷ ଧରି ଟିଟିଲାଗଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଏଯାବତ ନୂତନ ଟେଣ୍ଡର କରି ନ ଥିବା ଯୋଗୁଁ ରୋଗୀ ୧୨୦ ଟଙ୍କା ମୂଲ୍ୟର ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ସଂପୃକ୍ତ ଖାଦ୍ୟ ଯୋଗାଣ ସଂସ୍ଥା ସେହି ପୁରୁଣା ମୂଲ୍ୟ ରୋଗୀ ପିଛା ୫୦ ଟଙ୍କାରେ ଖାଦ୍ୟ ଯୋଗାଉଥିବା ଜଣାପଡିଛି । ତେବେ କାଗଜ କଲମରେ ରୋଗୀ ପିଛା ୫୦ ଟଙ୍କା ଦର୍ଶାଯାଇ ପ୍ରତିମାସ ପାଖାପାଖି ଲକ୍ଷେ ଟଙ୍କା ବିଲ ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରାଯାଉଛି । ସରକାର ବଦଳିବା ପରେ ନୂତନ ରୋଗୀ କଲ୍ୟାଣ ସମିତି ଗଠନ ହୋଇଥିଲେ ମଧ୍ୟ ସମିତି ସଦସ୍ୟଙ୍କ ନିଷ୍କ୍ରିୟତା ସମ୍ପୃକ୍ତ ଠିକା ସଂସ୍ଥାକୁ ବେଶ ସୂହାଇଛି । ଏହି ଅବ୍ୟବସ୍ଥାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଟିଟିଲାଗଡ଼ ଗସ୍ତରେ ଆସି ସମୀକ୍ଷା ସହ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି । 

LEAVE A REPLY

Please enter your comment!
Please enter your name here