ଜି.ଇ.ଡି. ଡିଭିଜନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ଯନ୍ତ୍ରୀ ସାଜିଛନ୍ତି ଠିକାଦାର,ସହଭାଗିତାରେ ଚାଲିଛି କାମ

ଟିଟିଲାଗଡ,୭/୯(ଜେ.ଏନ୍.ଏସ୍), ଟିଟିଲାଗଡ଼ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଠାରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ(ଜିଇଡି) ଦ୍ଵାରା କରାଯାଇଥିବା ବିଭିନ୍ନ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କୋଠାର ରକ୍ଷଣାବେକ୍ଷଣ ତଥା ଆଭ୍ୟନ୍ତରୀଣ ବିଦ୍ୟୁତ୍ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଏହି ବିଭାଗ ସରକାରୀ କାର୍ଯ୍ୟ ତୁଲାଇବା ଆଳରେ ସରକାରୀ ଅନୁଦାନର ହରିଲୁଟ କରୁଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଥିବାବେଳେ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ୬୦ ଜଣ ଛାତ୍ର ରହୁଛନ୍ତି । ବିଦ୍ୟାଳୟ ଓ ଛାତ୍ରାବାସର କୋଠରୀଗୁଡ଼ିକର ଆଭ୍ୟନ୍ତରୀଣ ବିଦ୍ୟୁତ କାର୍ଯ୍ୟ ଓ ମରାମତି ପାଇଁ ଗତ ୨୦୨୩ରେ ତତ୍କାଳୀନ ପ୍ରଧାନ ଶିକ୍ଷକ ୩୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଏକ ବ୍ୟୟ ଅଟକଳ ପ୍ରସ୍ତାବ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ପଠାଇଥିଲେ।ଏହି ପ୍ରକଳ୍ପ ପାଇଁ ୧୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଫେବୃଆରୀ ୨୦୨୫ରେ କାର୍ଯ୍ୟାଦେଶ ଜାରି ହୋଇଥିଲା। ଜି. ଇ. ଡି. ବିଭାଗ ଗତ ଫେବୃଆରୀ ମାସରେ ନାମକୁ ମାତ୍ର କାର୍ଯ୍ୟ ଆରମ୍ଭ କରି ବିଭାଗୀୟ ଭିଜିଲାନ୍ସ ତଦନ୍ତ ଚାଲୁଥିବା ଯୋଗୁଁ କାର୍ଯ୍ୟ ବନ୍ଦ କରିଥିଲା । ପୁଣି ମେ ମାସରେ କିଛି କାମ କରିବା ପରେ ବର୍ତ୍ତମାନ କିଛିଦିନ ପୂର୍ବରୁ ତରବରିଆ ଭାବରେ ସମସ୍ତ କାର୍ଯ୍ୟ ତୁଲାଇ ବିଲ ଆଗତ କରାଯାଇଥିବା ସୂଚନା ମିଳିଛି । ନିୟମ ଅନୁଯାୟୀ କାର୍ଯ୍ୟାଦେଶ ଜାରି ହେବା ୧ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ନ ହେଲେ ଏହା ବାତିଲ ହୋଇ ସଂପୃକ୍ତ ଠିକାଦାରଙ୍କୁ ନୋଟିସ ଜାରି ହେବା କଥା । କିନ୍ତୁ ବିଭାଗୀୟ ଯନ୍ତ୍ରୀ ଖୋଦ୍ ସହଭାଗିତାରେ ଠିକାଦାର ସାଜିଥିବା ଯୋଗୁଁ ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ଘଟିଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ଆସିଥିବା ଅନୁଦାନକୁ ସାରିଦେବା ପାଇଁ ବିଦ୍ୟାଳୟ ପରିସରରେ ଅକାମୀ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ହଷ୍ଟେଲ କୋଠାରେ ଅନାବଶ୍ୟକ ଭାବରେ ବିଭିନ୍ନ କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ଏପରିକି କାର୍ଯ୍ୟକ୍ଷମ ଥିବା ବହୁ ସିଲିଂ ପଙ୍ଖା ଖୋଲାଯାଇ ପୁଣି ନୂଆ ପଙ୍ଖା ଲଗାଯାଇଛି । ସ୍ଥାନୀୟ ବିଧାୟକ ନବୀନ ଜୈନ ବିଦ୍ୟାଳୟ ପରିଦର୍ଶନରେ ଯାଇ ସରକାରୀ ଅନୁଦାନର ଅପଵ୍ୟୟ କରାଯାଇଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟାକୁ ଅଣଦେଖା କରି ଟିଟିଲାଗଡ଼ ଏସ୍. ଡି. ଏଚ୍,ଏମ୍. ସି. ଏଚ୍ ଓ ଗନ୍ଧମାର୍ଦନ ଶିଳ୍ପ ତାଲିମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସଂପୃକ୍ତ ଯନ୍ତ୍ରୀଙ୍କ ନା ରେ ତତ୍କାଳୀନ ବିଭାଗୀୟ ଏସ୍. ଡି. ଓ. ବିଚିତ୍ର କୁମାର ସେଠୀଙ୍କ ଠାରେ ଅଭିଯୋଗ ହୋଇଥିଲା । ଅପର ପକ୍ଷରେ ଘଟଣା ସମ୍ପର୍କରେ ଜି. ଇ. ଡି ଏସ୍. ଡି. ଓ ଆଦର୍ଶ କୁମାର ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ବିଭାଗୀୟ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles