ଟିଟିଲାଗଡ,୮/୩(ଜେଏନଏସ),ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ପଞ୍ଚାୟତର ମନରେଗା କାମରେ ଅନିୟମିତତା ଅଭିଯୋଗ ନେଇ ଖବର ପ୍ରକାଶିତ ହେବାପରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳିଛି।ଘଟଣା କୁ ନେଇ ଟିଟିଲାଗଡ ବିଡ଼ିଓ ଚନ୍ଦ୍ରମଣି ନାଗ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି।ପ୍ରକାଶ ଯୋଗ୍ୟ ଯେ ବାଞ୍ଜିପଦର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ୨୦୨୪/୨୫ ଆର୍ଥିକ ବର୍ଷ ରେ ବଞ୍ଜିପଦର୍ ପଞ୍ଚାୟତ ର ସିନାପାଲି ଗ୍ରାମର ତଲମୁଣ୍ଡା ଟ୍ୟାଙ୍କ, କର୍ଲାପଡ଼ା ନୁଆମୁଣ୍ଡା ଟ୍ୟାଙ୍କ ଦ୍ଵିତୀୟ ପର୍ଯ୍ୟାୟ ଉନ୍ନୟନ କାର୍ଯ୍ୟ ଓ ଶିଶାକାନି ଗ୍ରାମର ବିଶାଲବାହାଲି ମୁଣ୍ଡା ର ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଛି। ମନରେଗା ପୋର୍ଟାଲ ରେ କିଛି ପ୍ରକଳ୍ପ କୁ ସମ୍ପୂର୍ଣ୍ଣ ଦର୍ଶାଯାଇ ଥିବାବେଳେ ବାସ୍ରବ ଚିତ୍ର ଭିନ୍ନ ରହିଛି।ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ନିର୍ଦ୍ଧାରିତ ବ୍ୟୟ ଅଟକଳ ରାଶି ଓ ପ୍ରକୃତ କାର୍ଯ୍ୟରେ ବହୁ ଅସମତା ରହିଛି।ଏପରିକି ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଓ ରାଜ୍ୟ ବାହାରେ କାମ କରୁଥିବା ବ୍ୟକ୍ତି ଙ୍କୁ ମନରେଗା ଶ୍ରମିକ ଭାବରେ ଦର୍ଶାଯାଇ ତାଙ୍କ ନାମରେ ଟଙ୍କା ଉଠାଯାଇଛି।ଅନିୟମିତତା ଘଟିଥିବା ପ୍ରକଳ୍ପ ଗୁଡ଼ିକ ର ଉଚ୍ଚସ୍ତରୀୟ ତଦନ୍ତ ସହ ସଂପୃକ୍ତ ଅଧିକାରୀ ଓ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଟିଟିଲାଗଡ ବିଡ଼ିଓ,ଉପଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକ, ବଲାଙ୍ଗୀର ଜିଲ୍ଲାପାଳ ଓ ସିଏମ୍ଓ ଠାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ନେଇ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଲୋପାମୁଦ୍ରା ବିଶ୍ଵାଳ ପ୍ରକଳ୍ପ ଗୁଡ଼ିକ ରେ କାମ ହୋଇଥିବା ଏବଂ ଉଠିଥିବା ଅଭିଯୋଗ ର ତଦନ୍ତ ହେବ ବୋଲି ନିଜ ପ୍ରତିକ୍ରିୟା ରଖିଥିଲେ।ତେବେ ଏହି ଦୁର୍ନୀତି ର ଖବର ପ୍ରସାରଣ ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି।


