
ଟିଟିଲାଗଡ,୩୦/୫(ଜେଏନଏସ), ସମ୍ପର୍କ ଉପରେ ଭାରି ପଡ଼ିଲା ନିଶା, ମଦ ନିଶାରେ ଉତ୍ତେଜିତ ବଡ ଭାଇ ସାନ ଭାଇ କୁ ହତ୍ୟା କରି ଗିରଫ ହେବା ଘଟଣା ଟିଟିଲାଗଡ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ସୂଚନା ଅନୁଯାୟୀ ଟିଟିଲାଗଡ ସହର ନେହେରୁ ନଗର ନିବାସୀ କପିଲ ସବ୍ରୱାଲ (୪୨)ମଦ ନିଶାରେ ତାଙ୍କ ସାବତ ଭାଇ ଜିତେନ ସବ୍ରୱାଲ୍(୩୫) ଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି।ଉଭୟେ ଆଜି ଦିନବେଳା ଏକତ୍ରିତ ହୋଇ ମଦ ପିଇ ଘରକୁ ଫେରିବା ପରେ କୌଣସି କାରଣରୁ ଦୁଇ ଭାଇ ଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ଉଗ୍ର ରୂପ ନେଇଥିଲା।ନିଶାଗ୍ରସ୍ତ ଅବସ୍ଥାରେ ବଡଭାଇ କପିଲ ସାନ ଭାଇ ଜିତେନ କୁ ଛୁରୀ ରେ ଆକ୍ରମଣ କରିଥିଲେ।ଜିତେନ ଗୁରୁତର ହୋଇ ବେହୋସ ହୋଇ ପଡ଼ିବା ପରେ କପିଲ ହିଁ ତାଙ୍କୁ ସରକାରୀ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆଣିଥିଲେ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ର ଖବର ପାଇ ଟିଟିଲାଗଡ ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତ ବଡଭାଇ କୁ ଗିରଫ କରିଛି।ଡାକ୍ତରଖାନା ପରିସରରେ ଥିବା ଶବ ସଂରକ୍ଷିତ ଗୃହ ରେ ଶବ କୁ ରଖାଯାଇଥିବା ଏବଂ ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ କୁ ମୃତ ଦେହ ହସ୍ତାନ୍ତର କରାଯିବା ନେଇ ପୁଲିସ ସୂଚନା ଦେଇଛି।ଘଟଣା କୁ ନେଇ ତଦନ୍ତ ଜାରି ରହିଥିବା ବେଳେ ମଦ ନିଶାର ନିଷ୍ଠୁର ପରିଣତି କୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିବା ଦେଖିବାକୁ ମିଳିଛି।

