
ଟିଟିଲାଗଡ,୭/୭(ଜେଏନ୍ଏସ),ଟିଟିଲାଗଡ ସହରରେ ଗତ ୨ଦିନ ଧରି ହୋଇଥିବା ଲଗାଣ ବର୍ଷାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣାଧୀନ ପ୍ରାୟ ୧ କୋଟି ଟଙ୍କା ବ୍ୟୟର ଚେକ୍ ଡ୍ୟାମ ଭୁଶୁଡ଼ି ପଡୁଥିବା ଦେଖିବାକୁ ମିଳିଛି।କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ସହରର ମୁକ୍ତିଧାମ ନିକଟରେ ଆବଶ୍ୟକ ଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ବୃଦ୍ଧି ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ୯୯ ଲକ୍ଷ ୯ ହଜାର ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିଲା। କିନ୍ତୁ ମାତ୍ର ଦୁଇ ଦିନର ବର୍ଷାରେ ନିର୍ମାଣାଧୀନ ଚେକ୍ ଡ୍ୟାମ ଭାଙ୍ଗି ପଡ଼ିବା ପରେ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକେ ନିମ୍ନମାନର କାମ ଓ ବିଭାଗୀୟ ଅବହେଳା କୁ ନେଇ ଅଭିଯୋଗ କରିଛନ୍ତି।ଅନିଲ ସିଂଘଲ ନାମକ ଠିକାଦାର ଏହି ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ପ୍ରାୟ ୩୦ ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଥିବା ମଧ୍ୟ ଜଣାପଡ଼ିଛି।ମାତ୍ର ୨ ଦିନର ବର୍ଷା ରେ ଏପରି ଅବସ୍ଥା ହେବା ଏହି ପ୍ରକଳ୍ପର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ସମ୍ପୃକ୍ତ ଠିକାଦାର ପ୍ରତି ବିଭାଗୀୟ ଅନୁକମ୍ପା ରହିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ସହଭାଗିତାରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ ହୋଇଛି।ଏନେଇ କ୍ଷୁଦ୍ର ଜଳସେଚନ ବିଭାଗର ଏସ୍ଡିଓ ମାନଭଞ୍ଜନ ଶତପଥୀ କହିଛନ୍ତି, ପ୍ରକଳ୍ପଟି ଏପର୍ଯ୍ୟନ୍ତ ନିର୍ମାଣାଧୀନ ଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା ନିଜ ଖର୍ଚ୍ଚରେ ଏହାର ପୁନଃନିର୍ମାଣ କରିବ। ତେବେ ଏହି ଘଟଣା ସରକାରୀ କାର୍ଯ୍ୟର ଗୁଣବତ୍ତା ଓ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ସୃଷ୍ଟି କରିଥିବାବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

