
ଟିଟିଲାଗଡ,୫/୫(ଜେଏନଏସ), ଟିଟିଲାଗଡ ଅଞ୍ଚଳରେ ଜରୁରୀ ଚିକିତ୍ସା ସୁବିଧା କୁ ଅଧିକ ସୁଦୃଢ଼ କରିବାପାଇଁ ନୂତନ ଆମ୍ବୁଲାନ୍ସ ଭ୍ୟାନ ଯୋଗାଇବାକୁ ଉପଜିଲ୍ଲାପାଳ ଙ୍କ ଠାରେ ଦାବୀ ହୋଇଛି।କଂଗ୍ରେସ ନେତା ବୀରେନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଲୋକ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କୁ ନୂତନ ଆମ୍ବୁଲାନ୍ସ ଓ ଡାକ୍ତରଖାନା ପରିସରରେ ସରକାରୀ ଶବ ସଂରକ୍ଷିତ ଯନ୍ତ୍ର ରଖିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ।ଅଞ୍ଚଳରେ କ୍ରମାଗତ ଭାବରେ ଦୁର୍ଘଟଣା ଓ ଅକସ୍ମାତ୍ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଉପଲବ୍ଧ ଆମ୍ବୁଲାନ୍ସ ସେବା ପର୍ଯ୍ୟାପ୍ତ ନ ଥିବା ଯୋଗୁଁ ବହୁ ଜୀବନ ହାନି ହେଉଥିବା ଦେଖିବାକୁ ମିଳିଛି। ଗତ ୨୮ ତାରିଖରେ ମାର୍ଲାଡ ଗ୍ରାମ ନିକଟରେ ଘଟିଥିବା ମର୍ମଦୂନ୍ତ ସଡ଼କ ଦୁର୍ଘଟଣାରେ ପିକଅପ ଭ୍ୟାନ୍ ଓଲଟି ରାସ୍ତା ଉପରେ ଗୁରୁତର ନାବାଳକ ମାନେ ମୃତ୍ୟୁସହ ସଂଗ୍ରାମ କରୁଥିବାବଳେ ଦୁର୍ଘଟଣା ସ୍ଥଳ କୁ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା।ଏପରିକି ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ବିଳମ୍ବରେ ଆମ୍ବୁଲାନ୍ସ ବଦଳରେ ଶବ ବାହକ ଗାଡ଼ି ପହଞ୍ଚିଥିବା ବେଳେ ଏହାକୁନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଅପରପକ୍ଷରେ ଟିଟିଲାଗଡ ଡାକ୍ତରଖାନାରେ ସାଧାରଣ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀ ଙ୍କୁ ମଧ୍ୟ ରେଫର୍ କରାଯାଉଥିବା ଯୋଗୁଁ ଉପଲବ୍ଧ ଆମ୍ବୁଲାନ୍ସ ସେବା ନିଅଣ୍ଟ ହେଉଥିବା ଅଭିଯୋଗ ହୋଇଛି। ଉପଜିଲ୍ଲାପାଳ ଦାବି ପତ୍ର ଗ୍ରହଣ କରିବା ସହ ସଂପୃକ୍ତ ବିଭାଗ ସହ ଆଲୋଚନା କରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଉଲ୍ଲେଖ କରିଥିଲେ।

