
ଟିଟିଲାଗଡ,୧୫/୬(ଜେଏନଏସ), ଟିଟିଲାଗଡ ସହର ନୀଳଚକ୍ର ନଗର ନିବାସୀ ବ୍ୟବସାୟୀ ଶମ୍ଭୁ ପ୍ରସାଦ ଅଗ୍ରୱାଲ ଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ଶ୍ରୀ ଅଗ୍ରୱାଲ କୁମୁଡ଼ିପଦର ସ୍ଥିତ ନିଜ କ୍ରସର୍ ରୁ ଫେରୁଥିବା ସମୟରେ ପୌରପରିଷଦର ଡମ୍ପିଙ୍ଗ ୟାର୍ଡ ନିକଟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସେ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ ସହ ଘଟଣାର ବିଭିନ୍ନ ଦିଗ କୁ ନେଇ ତଦନ୍ତ କୁ ବ୍ୟାପକ କରିଥିଲା।ଘଟଣା ରେ ସଂପୃକ୍ତ ଥିବା ଟିଟିଲାଗଡ ଥାନା ଅନ୍ତର୍ଗତ ବିଜେପୁର ଘୁଘୁର ପଲ୍ଲା ଗ୍ରାମର ସନ୍ତୋଷ ରଣା(୩୯) ଓ ଶୁଭମ୍ ରଣା (୨୦) କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।ଘଟଣା ର ପ୍ରକୃତ କାରଣ ପୁଲିସ ତଦନ୍ତ ପରିସରରେ ରହିଥିବା ବେଳେ ଜମି ବାଡ଼ି କିଣା ବିକା କୁ ନେଇ ଏହି ଆକ୍ରମଣ ଘଟିଥିବା ନେଇ ସହରରେ ଚର୍ଚ୍ଚା ହେଉଛି।ଅପରପକ୍ଷରେ ଗିରଫ ଅଭିଯୁକ୍ତ ସନ୍ତୋଷ ରଣା ୨୦୧୩ ମସିହା ଡିସେମ୍ବର ୧୫ ତାରିଖ ରେ ଟିଟିଲାଗଡ ସହରରେ ଘଟିଥିବା ହାଇ ପ୍ରୋଫାଇଲ୍ ବିଜେଡି ରାଜ୍ୟ ସହ ସମ୍ପାଦକ ଅଭିମନ୍ୟୁ ସାହୁ ହତ୍ୟା କାଣ୍ଡ ଘଟଣାରେ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି। ସେ ଏହି ହତ୍ୟାକାଣ୍ଡ ରେ ବ୍ୟବହୃତ ଆମ୍ବାସାଡର କାର ର ଚାଳକ ଥିବା ବେଳେ କିଛିଦିନ ପୂର୍ବରୁ ସର୍ତ୍ତମୂଳକ ଜାମିନ ରେ ଆସିଥିବା ଜଣା ପଡ଼ିଛି। ଘଟଣା କୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ଏବଂ ମଙ୍ଗଳବାର ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

