
ସଇଁତଳା,୧୬/୮(ଜେଏନଏସ),ଦେଶ ସ୍ୱାଧୀନତା ର ୮୦ ବର୍ଷ ପାଳନ ଅବସରରେ ସଇଁତଳା ରମେଶ ସିଂ ଭୋଇ ଷ୍ଟାଡିୟମ୍ ପରିସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ପ୍ରଶାସନ ଓ ସାମ୍ବାଦିକ ଙ୍କ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ରେ ସାମ୍ବାଦିକ ଏକାଦଶ ଟିମ୍ କୁ ୮୪ ରନ୍ ରେ ହରାଇ ପ୍ରଶାସନ ଏକାଦଶ ଟିମ ବିଜୟୀ ହୋଇଛି। ପ୍ରଥମେ ସାମ୍ବାଦିକ ଏକାଦଶର ଅଧିନାୟକ ପ୍ରମୋଦ କୁମାର ସେଲମା ଓ ପ୍ରଶାସନ ଏକାଦଶର ଅଧିନାୟକ ତଥା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ମଧ୍ୟରେ ଟସ ହୋଇଥିଲା। ଏଥିରେ ସାମ୍ବାଦିକ ଏକାଦଶ ଟିମ ଟସ ଜିଣିବା ସହ ଫିଲଡିଂ ପାଇଁ ନିଷ୍ପତ୍ତି ନେଇଥିଲେ।ଆରମ୍ଭରୁ ପ୍ରଶାସନ ଏକାଦଶ ଟିମ ଧୂଆଁଧାର ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୨ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲେ।ପ୍ରଶାସନ ଟିମ ତରଫରୁ ତହସିଲଦାର ଆଶିଷ ଏକ୍କା ୪୦ ରନ ଓ ରାଜସ୍ୱ ଅଧିକାରୀ ସମୀର ମଣ୍ଡଳ ୫୧ ରନ ସଂଗ୍ରହ କରିଥିଲେ। ଜବାବରେ ସାମ୍ବାଦିକ ଏକାଦଶ ଟିମ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ମାତ୍ର ୬୪ ରନ କରି ପରାଜିତ ହୋଇଥିଲେ।ସାମ୍ବାଦିକ ଏକାଦଶ ଦଳ ତରଫରୁ ଗୋପାଳ ଦାସ ସର୍ବାଧିକ ୩୨ ରନ ସଂଗ୍ରହ କରିଥିଲେ। ଯୁବ ଖେଳାଳୀ ଶିବ ମାଝୀ ଓ ବିକ୍ରମ ସା ମ୍ୟାଚ୍ ପରିଚାଳନା କରିଥିବା ବେଳେ ଯୋଗାଣ ସହାୟକ ଯତୀନ୍ଦ୍ର ଦାସ ଧାରା ବିବରଣୀ ଓ ସ୍କୋର ଦାୟିତ୍ୱ ତୁଲାଇଥିଲେ।ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ପ୍ରମୋଦ ସେଲମାଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଓ ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।ବିଜେତା ଓ ଉପ ବିଜେତା ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସମୀର ମଣ୍ଡଳ ମ୍ୟାନ ଅଫ ଦି ମ୍ୟାଚ,ଥାନାଧିକାରୀ ଖଗପତି ବିଶ୍ୱାଳ ବେଷ୍ଟ ବୋଲର, ସୁଶାନ୍ତ ମେହେର ବେଷ୍ଟ ଫିଲ୍ଡର୍ ଓ ସୁନିଲ ଭୋଇ ଙ୍କୁ ବେଷ୍ଟ ଉଇକେଟ କିପର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରତିବର୍ଷ ସ୍ୱାଧୀନତା ଅବସରରେ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜିତ କରାଯିବା ନେଇ ନିଷ୍ପତି ଗୃହୀତ ହୋଇଥିଲା।

