
ଟିଟିଲାଗଡ଼,୮/୮(ଜେଏନଏସ), ଟିଟିଲାଗଡ଼ ସହରର ସମସ୍ତ ରାସ୍ତାଘାଟ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ପ୍ରାୟ ସମସ୍ତ ପ୍ରମୁଖ ରାସ୍ତା ଖାଲଖମା ଓ ବଡ଼ ବଡ଼ ଗର୍ତ୍ତରେ ପରିପୂର୍ଣ୍ଣ ହୋଇଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ିଛି। ବର୍ଷା ପାଣି ଗର୍ତ୍ତଗୁଡ଼ିକରେ ଜମି ରହୁଥିବାରୁ ଗର୍ତ୍ତର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଦୁଇଚକିଆ ଯାନ ଚାଳକଙ୍କ ସମେତ ସାଧାରଣ ଲୋକେ ନିୟମିତ ଭାବେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି।ବର୍ତ୍ତମାନ ବର୍ଷା ଯୋଗୁଁ ସହରର ରାସ୍ତାଗୁଡ଼ିକର ସ୍ଥିତି ଆହୁରି ଖରାପ ହୋଇଛି। କେଉଁଠି ରାସ୍ତାରୁ ପିଚୁ ଉଠି ଯାଇଛି ତ ଆଉ କେଉଁଠି ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ରାତି ସମୟରେ ଏହି ଗର୍ତ୍ତଗୁଡ଼ିକ ଅଧିକ ବିପଦ ସୃଷ୍ଟି କରୁଛି। ବର୍ଷା ପାଣି ଜମି ରହିବାରୁ ରାସ୍ତା ଓ ଗର୍ତ୍ତ ମଧ୍ୟରେ ପାର୍ଥକ୍ୟ ଜଣାପଡ଼ୁନଥିବାରୁ ଯାତ୍ରୀମାନେ ବିପଦରେ ପଡ଼ୁଛନ୍ତି।ଏହି ସମସ୍ୟାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି। କିଛିଦିନ ପୂର୍ବରୁ ଟିଟିଲାଗଡ଼ ବିଧାୟକ ନିଜେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସାଙ୍ଗରେ ନେଇ ସହର ପରିକ୍ରମା କରିଥିଲେ। ଏହି ସମୟରେ ସହରର ବିଭିନ୍ନ ରାସ୍ତାର ଦୁରବସ୍ଥା ଅଧିକାରୀଙ୍କ ଦୃଷ୍ଟିକୁ ଆଣି ତୁରନ୍ତ ମରାମତି ପାଇଁ ଦାବି କରିଥିଲେ। ତେବେ ଏହାର କିଛିଦିନ ପରେ ମଧ୍ୟ ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇପାରିନାହିଁ। ସମ୍ପୃକ୍ତ ବିଭାଗ ପକ୍ଷରୁ ପ୍ରାଥମିକ ମରାମତି ମଧ୍ୟ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦଇଛି।ଟିଟିଲାଗଡ ସହର ଦେଇ ବହୁ ସଂଖ୍ୟାରେ ମାଲବାହୀ ଭାରି ଯାନ ଚଳାଚଳ କରୁଥିବା ଯୋଗୁଁ ରାସ୍ତାର ଦୁରବସ୍ଥା ବୃଦ୍ଧି ପାଇ ଆସନ୍ନ ବିପଦ କୁ ନିମନ୍ତ୍ରଣ କରୁଛି।ଯଥାଶୀଘ୍ର ରାସ୍ତା ମରାମତି କରିବାକୁ ସହରବାସୀ ଦାବୀ ଜଣାଇଛନ୍ତି ।

