ଓଭରବ୍ରିଜ ତଳେଥିବା ବଜାରରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ

0
80

ଟିଟିଲାଗଡ଼,୨୫/୫ (ଜେଏନ୍ଏସ୍), ସହରର ପୋଲିସ ଥାନା ନିକଟସ୍ଥ ଓଭରବ୍ରିଜ ତଳେଥିବା ବଜାରରେ ଆଜି ଅଗ୍ନିକାଣ୍ଡ ଘଟି ୨୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ କାହିଁକି ଘଟିଲା ତାର କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସୂଚନା ମତେ ଓଭରବ୍ରିଜ ତଳେ ଚପଲ, କପଡ଼ା, ଚଷମା, ପନିପରିବା ଓ ଟୋପି ଆଦି ପ୍ରାୟ ୩୫ଟି ଦୋକାନ ରହିଥିଲା । ଆଜି ଭୋର ପ୍ରାୟ ୪ଟାରେ ସେଠାରେ ହଠାତ ନିଆଁ ଲାଗି ଯାଇଥିଲା । ‘ନମାଜ’ ପଢିବାକୁ ଆସିଥିବା କେତେକ ମୁସଲିମ ସାମ୍ପ୍ରଦାୟର ଲୋକ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବା ଆରମ୍ଭ କରିଥିଲା। ତେବେ କିଛି ସମୟ ପରେ ପାଣି ସରିଯିବାରୁ ଅଗ୍ନିଶମ ବିଭାଗ ରଘୁନାଥ ପଡ଼ା ପୋଖରୀରୁ ପାଣି ଆଣିବାରେ ବିଳମ୍ବ ହେବାରୁ ନିଆଁ ବ୍ୟାପି ଯାଇଥିଲା । ଦୀର୍ଘ ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ମଧ୍ୟ ବହୁ କ୍ଷତି ଘଟିଥିଲା । ୩୫ଟି ଦୋକାନ ମଧ୍ୟରୁ ବ୍ୟବସାୟୀ ଅବଦୁଲ ଓହୀତଙ୍କ ଚଫଲ ଦୋକାନରେ ପ୍ରାୟ ୩ଲକ୍ଷ ଟଙ୍କା, ପରମେଶ୍ଵର ବେହେରାଙ୍କ କପଡ଼ା ଦୋକାନର ପ୍ରାୟ ୪ଲକ୍ଷ ଟଙ୍କା, ଅବଦୁଲ ରହୀମଙ୍କ ଚଷମା, ବେଲ୍ଟ ଓ ଟୋପି ଦୋକାନର ପ୍ରାୟ ୩ଲକ୍ଷ ଟଙ୍କା, ମହମ୍ମଦ ହଜରତଙ୍କ କପଡ଼ା ଦୋକାନର ପ୍ରାୟ ୩ଲକ୍ଷ ଟଙ୍କା, ମହମ୍ମଦ ଇକରାମଙ୍କ ଚପଲ ଦୋକାନର ପ୍ରାୟ ୨ ଲକ୍ଷ ଟଙ୍କା, ଏସକେ ଅସଲାମଙ୍କ ଚପଲ ଦୋକାନର ପ୍ରାୟ ୧ ଲକ୍ଷ ଟଙ୍କା, ଇଣ୍ଡିହାକ ଖାନଙ୍କ ଚପଲ ଦୋକାନର ପ୍ରାୟ ୧ଲକ୍ଷ ଟଙ୍କାର ସାମଗ୍ରୀ ଓ ନୁଆଖାଉ ସାହୁଙ୍କ ପନିପରିବା ଦୋକାନର ୩୦ ହଜାର ଟଙ୍କାର ପରିବା ଭସ୍ମୀଭୁତ ହୋଇଯାଇଥିଲା । ସେହିପରି ଅନ୍ୟ ୧୭ଟି ଦୋକାନର ପ୍ରାୟ ୧୫ହଜାରରୁ ଉର୍ଦ୍ଧ ଟଙ୍କାର ପରିବା, କପଡ଼ା ଆଦି ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଥିବା ଆକଳନ କରାଯାଇଛି । ହେଲେ କେତେକ ଦୋକାନୀ ନିଆଁକୁ ଦେଖି ସାଙ୍ଗେ ସାଙ୍ଗେ ତାଙ୍କ ସାମଗ୍ରୀ ଉଦ୍ଧାର କରିଥିବାରୁ ତାହା ପାଉଁଶ ହେବାରୁ ବଞ୍ଚିଯାଇଥିଲା । ଦୋକାନଗୁଡ଼ିକରେ ବିଦ୍ୟୁତ ସରୋବରାହ ନଥିବାରୁ ସୋଲାର ପାୱାର ବ୍ୟବହାର କରୁଥିଲେ । କେହି ଦୁର୍ବୁର୍ତ୍ତ ହିଁ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ବ୍ୟବସାୟୀବୃନ୍ଦ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ଧାର କରଜରେ ସାମଗ୍ରୀ ଆଣି ପରିବାରର ପୋଷଣ କରୁଥିଲୁ । ଏହା ହରାଇ ବର୍ତ୍ତମାନ ଆମେ କଣ କରିବୁ ବୋଲି ଚିନ୍ତା ବ୍ୟକ୍ତ କରି ଦୁଃଖ ବଖାଣିଛନ୍ତି । ଏସମ୍ପର୍କରେ ଖବର ପାଇ ଥାନାଅଧିକାରୀ  ଅବନୀ ସାହୁ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚକରି ଦୁର୍ବୁର୍ତ୍ତଙ୍କୁ ଠାବ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ବଲାଙ୍ଗିରର ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରି ଫେରି ଯାଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ବଜାର ପରିସରରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିରହିଥିଲା । ମାମଲାର ଗୁରୁତ୍ୱକୁ ଦେଖି ବଲାଙ୍ଗିର ଜିଲ୍ଲା ଏସ୍.ପି ଋଷିକେଶ କିଲାରୀ ଟିଟିଲାଗଡ଼ ଆସି ଘଟଣାସ୍ଥଳ ପରିଦର୍ଶନ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here