
ଟିଟିଲାଗଡ,୧୧/୭(ଜେଏନଏସ), ଟିଟିଲାଗଡ ସହରର ମୁଖ୍ୟ ରାସ୍ତାରେ ପୌର ପରିଷଦ ପକ୍ଷରୁ ଚାଲିଥିବା ନାଳ ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହୋଇ ପଡ଼ିଛି।ଦୀର୍ଘଦିନଧରି ମୁଖ୍ୟ ରାସ୍ତା ଅବରୋଧ ରହିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଟ୍ରାଫିକ ଜାମ୍ ଓ ରାସ୍ତା ଅବରୋଧ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି।ଦୁଇଦିନ ପୂର୍ବରୁ ଜଣେ ସ୍କୁଲ ଛାତ୍ର ଏହି ନାଳ ରେ ପଡି ଆହତ ହୋଇଥିବା ବେଳେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ପଡି ଆହତ ହୋଇଛନ୍ତି।ଏହି ମୁଖ୍ୟରାସ୍ତା କୁ ସଂଲଗ୍ନ ଥିବା ପାର୍ଶ୍ୱ ରାସ୍ତା ରେ ମଧ୍ୟ ମନ୍ଥର ଗତି ରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଯାତାୟାତ ବ୍ୟବସ୍ଥା ଆହୁରି ବିପର୍ଯ୍ୟସ୍ତ ହୋଇ ପଡ଼ିଛି।ସମ୍ପୃକ୍ତ ଠିକାଦାର ବିଭାଗୀୟ ଜେଇ କାମ ଦେଖିବାକୁ ଆସୁ ନ ଥିବା ଯୋଗୁଁ ବିଳମ୍ବ ହେଉଥିବା କହିଛନ୍ତି।ଅପରପକ୍ଷରେ ପୌର ପରିଷଦ ର ସମ୍ପୃକ୍ତ ଯନ୍ତ୍ରୀ ଦୁର୍ଗା ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ନିର୍ମାଣ କାର୍ଯ୍ୟ ଯୋଗୁଁ ସାମୟିକ ଅସୁବିଧା ହେଉଥିବା ଏବଂ ଏଥିରେ ମୁଁ କିଛି କରି ପାରିବି ନାହିଁ ବୋଲି ଦାୟିତ୍ୱହୀନ ପ୍ରତିକ୍ରିୟା ଦେଇଛନ୍ତି।ଆଗକୁ ରଥ ଯାତ୍ରା ଥିବାରୁ ସହରେ ଭିଡ ବଢ଼ିବା ସହ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।ସାମୂହିକ ସ୍ୱାର୍ଥ କୁ ପ୍ରାଧାନ୍ୟ ଦେଇ ଯଥା ଶୀଘ୍ର ଏହି କାର୍ଯ୍ୟ ସମାପ୍ତ କରିବା ସହ ରାସ୍ତା ଅବରୋଧ ହଟାଇବାକୁ ସହରବାସୀ ଦାବୀ କରିଛନ୍ତି।

