
ଟିଟିଲାଗଡ,୨୧/୫(ଜେଏନଏସ), ଟିଟିଲାଗଡ ସହର ମଧ୍ୟରେ ଘରୋଇ ତଥା ବାଣିଜ୍ୟକ ରନ୍ଧନ ଗ୍ୟାସ୍ ସିଲିଣ୍ଡର ର ବ୍ୟାପକ କଳାବଜାର ହେଉଥିବା ନେଇ ଅଭିଯୋଗ ହୋଇଛି।ଅଭିଯୋଗ କୁ ଭିତ୍ତି କରି ଗୁରୁବାର ରାତି ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଯୋଗାଣ ବିଭାଗ ଓ ପୁଲିସ ଟିମ୍ ସହ ଗାର୍ଲ୍ସ ହାଇସ୍କୁଲ୍ ପଡ଼ା ସ୍ଥିତ ଏକ କେଟ୍ରିନ ବ୍ୟବସାୟୀ ଙ୍କ ଗୋଦାମ ରେ ଚଢାଉ କରି ବେଆଇନ ଭାବରେ ଗଚ୍ଛିତ ଥିବା ୧୦ ଟି ଘରୋଇ ଓ ୯ ଟି ବାଣିଜ୍ୟିକ ସିଲିଣ୍ଡର ଜବତ କରିଛନ୍ତି।ଏଥିସହ ସଂପୃକ୍ତ ବ୍ୟବସାୟୀ ଙ୍କ କେଟ୍ରିନ କାରବାର ର ଲାଇସେନ୍ସ ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରିବାକୁ ଯୋଗାଣ ବିଭାଗ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।ପ୍ରକାଶ ଯୋଗ୍ୟ ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଆଳ କରି କିଛି ଅସାଧୁ ବେପାରି ଓ ଦଲାଲ ଏହି ବେଆଇନ୍ କାରବାର ଚଳାଇଥିବା ଦେଖିବାକୁ ମିଳିଛି। ସହର ମଧ୍ୟରେ ବିଭିନ୍ନ ହୋଟେଲ,ଚା ଦୋକାନ,ଜଳଖିଆ ଠେଲା ଓ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକ ରେ ବାଣିଜ୍ୟକ ସିଲିଣ୍ଡର ବଦଳରେ ଖୁଲମଖୁଲା ଘରୋଇ ସିଲିଣ୍ଡର ବ୍ୟବହାର କରାଯାଉଥିବା ବେଳେ ଯୋଗାଣ ବିଭାଗ ସେଥିପ୍ରତି ଦୃଷ୍ଟି ନ ଦେବା ବିଭାଗୀୟ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

