
ଟିଟିଲାଗଡ଼,୨/୮(ଜେଏନ୍ଏସ),ଟିଟିଲାଗଡ ସହରର ବିଶିଷ୍ଟ ସାହିତ୍ୟ ସାଧକ ତଥା ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଅଭିନ୍ନ କିଶୋର ରଥ ଙ୍କ ଚାରିଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି।ଶ୍ରୀ ରଥ କର୍କଟ ରୋଗରେ ପୀଡ଼ିତ ଥାଇ ଶଯ୍ୟାଶାୟୀ ଥିବାରୁ ତାଙ୍କ ବାସଭବନ ରେ ହିଁ ଏହି ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି,ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା,ପୂର୍ବତନ ସହକାରୀ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ ନାଗ,ପୂର୍ବତନ ଶିକ୍ଷକ ରାଜୀବ ଲୋଚନ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁସ୍ତକଗୁଡ଼ିକର ଉନ୍ମୋଚନ କରିବା ସହ ଶ୍ରୀ ରଥଙ୍କୁ ଉପଢୌକନ ପ୍ରଦାନ କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।ବ୍ୟଙ୍ଗ କବି ଟିକେଲାଲ୍ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ଶ୍ରୀ ରଥ ଙ୍କ ସ୍ମରଣିକା,ପରମ ଆରାଧ୍ୟ ଜଗନ୍ନାଥ,ଜ୍ଞାନ ବର୍ଦ୍ଧକ ବିଚାର ସମୂହ ଓ ଇଂରାଜୀ ପୁସ୍ତକ ସିଡ୍ସ ଅଫ୍ ୱିସଡମ ପୁସ୍ତକ କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ସଭାପତି ରତ୍ନାକର ସାହୁ, ସମ୍ପାଦକ ଈଶ୍ୱର ଜୈନ,ସଞ୍ଜୟ ଅଗସ୍ତି,ଡ ଯୁଗଳ କିଶୋର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରଥଙ୍କ ଶିକ୍ଷା, ସାହିତ୍ୟ ଓ ସମାଜ ପ୍ରତି ଅବଦାନର ଭୂୟସୀ ପ୍ରଶଂସା କରି ତାଙ୍କ ସୁସ୍ଥତା କାମନା କରିଥିଲେ।

