
ଟିଟିଲାଗଡ,୨୩/୬(ଜେଏନଏସ),ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲା,ଉପଖଣ୍ଡ,ତହସିଲ ଓ ସହରାଞ୍ଚଳ ର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନ କୁ ସଂଶୋଧନ କରି ନୂଆ ତାଲିକା ପ୍ରକାଶ କରିଛନ୍ତି।ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟର ୨୬ ଟି ଜିଲ୍ଲାର ୬୪ ଟି ସ୍ଥାନ ନାମର ଇଂରାଜୀ ବନାନ ସଂଶୋଧନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି।ତେବେ ବଲାଙ୍ଗିର ଜିଲ୍ଲାର ୨ ପ୍ରମୁଖ ଉପଖଣ୍ଡ ଟିଟିଲାଗଡ ଓ ପାଟଣାଗଡ ଏହି ତାଲିକାରୁ ବାଦ୍ ପଡ଼ିଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।ବିଭାଗୀୟ ବିଜ୍ଞପ୍ତି ରେ ବଲାଙ୍ଗୀର ଜିଲ୍ଲାର ନାମକୁ ସଂଶୋଧନ କରାଯାଇଥିବା ବେଳେ ଆଗଲପୁର,ତାଲପାଲି,ବେଲପଡ଼ା,କଣ୍ଟାବାଞ୍ଜି ଭଳି ଅନେକ ସ୍ଥାନର ନାମ ସାମିଲ ହୋଇଛି।କିନ୍ତୁ ଐତିହାସିକ ଓ ପ୍ରଶାସନିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଟିଟିଲାଗଡ ଓ ପାଟଣାଗଡ ସହର କୁ ଏହି ତାଲିକା ରେ ସ୍ଥାନ ଦିଆଯାଇନାହିଁ।ଜିଲ୍ଲାର ଉଭୟ ସହର ପ୍ରଶାସନିକ କେନ୍ଦ୍ର ସହ ପଶ୍ଚିମ ଓଡ଼ିଶାର ସାମାଜିକ,ସାଂସ୍କୃତିକ ଓ ଐତିହ୍ୟ ର ପ୍ରତୀକ ହୋଇଥିବା ବେଳେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଖୋଦ୍ ପାଟଣାଗଡ ରୁ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ବିଜେପି ସରକାର ଓଡ଼ିଆ ଅସ୍ମିତା କୁ ପ୍ରାଥମିକତା ଦେଉଥିବା ନେଇ ଉଲ୍ଲେଖ କରୁଥିବା ଏବଂ ବଲାଙ୍ଗୀର ଜିଲ୍ଲା ରୁ ୨ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ଜିଲ୍ଲା ର ପ୍ରମୁଖ ଦୁଇ ସହର କୁ ସଂଶୋଧନ ତାଲିକାରେ ଉପେକ୍ଷିତ କରାଯାଇଥିବା ଯୋଗୁଁ ଅସନ୍ତୋଷ ର ସ୍ୱର ଉଠିଛି।ଘଟଣା କୁ ନେଇ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏହାକୁ ନେଇ ସେ ସଂପୃକ୍ତ ବିଭାଗ କୁ ଅବଗତ କରାଇବେ ବୋଲି ଉଲ୍ଲେଖ କରିଛନ୍ତି।

