
ଟିଟିଲାଗଡ,୨୯/୪(ଜେଏନଏସ),ସଇଁତଳା ଥାନା ଅନ୍ତର୍ଗତ ନୁଆଭଦ୍ରା ଗ୍ରାମର ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଙ୍କ ଠାରୁ ଚାକିରୀ କରାଇଦେବା ଆଳରେ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ଚିତାମରା ଗ୍ରାମର ପିଙ୍କୁ କୁମ୍ଭାର ଓ ଶିବତଲା ଗ୍ରାମର ଆଶିଷ କୁମ୍ଭାର ନାମକ ଯୁବକ ଦ୍ୱୟ ବଡ଼ମାଲ ଗୋଳାବାରୁଦ କାରଖାନା ର ଡାକ୍ତରଖାନାରେ ଷ୍ଟାଫ ନର୍ସ ପଦବୀ ରେ ଚାକିରି କରାଇଦେବାକୁ କହି ସଂପୃକ୍ତ ଦିବ୍ୟାଙ୍ଗ ଯୁବତୀ ଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୪ ଲକ୍ଷ ଟଙ୍କା ନେଇଯାଇଥିଲେ।ପ୍ରଥମେ କାଗଜ ପତ୍ର ପାଇଁ ୧୦୨୫ ଟଙ୍କା ଓ ପରେ ରେଜିଷ୍ଟେସନ, ଡକ୍ୟୁମେଣ୍ଟ ଭେରିଫିକେସନ,ଟ୍ରେନିଂ ଆଦି ବିଭିନ୍ନ ଆଳ କରି ଫୋନ ପେ ଯୋଗେ ୨ ଲକ୍ଷ ଟଙ୍କା ନେଇଥିଲେ।ଶେଷପର୍ଯ୍ୟାୟ ରେ ଏକ ନକଲି ନିଯୁକ୍ତି ପତ୍ର ଦେଇ ଆଉ ୨ ଲକ୍ଷ ଟଙ୍କା ନେଇଥିଲେ।ତେବେ କାରଖାନା କର୍ତ୍ତୁପକ୍ଷ ଙ୍କ ଠାରୁ ଏହି ନିଯୁକ୍ତି ପତ୍ର ନକଲି ଥିବା ଜାଣିବା ପରେ ଠକେଇ ର ଶିକାର ହୋଇଥିବା ସଂପୃକ୍ତ ଯୁବତୀ ପରିବାର ସଦସ୍ୟ ଙ୍କ ସହ ଯାଇ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉଭୟ ଅଭିଯୁକ୍ତ ଙ୍କ ମୋବାଇଲ ସୁଇଚ ଅଫ୍ ହୋଇଯାଇଛି।

