
ଟିଟିଲାଗଡ,୨୫/୪(ଜେଏନଏସ),ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ବଲାଙ୍ଗୀର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି।ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କ ନେତୃତ୍ୱରେ ଓକିଲ ସଂଘ ସଭାପତି ତଥା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ବିକାଶ ଭୋଇ ଓ ସହ ଆବାହକ କାର୍ତ୍ତିକ ଛତର ଙ୍କ ସହ କମିଟି ସଦସ୍ୟ ମାନେ ଅଞ୍ଚଳ ବାସୀ ଙ୍କ ତିନି ଦଶନ୍ଧି ଧରି ରହିଥିବା ଏହି ଦାବୀ ସମ୍ଵନ୍ଧରେ ଅବଗତ କରିବାସହ ସମ୍ମଳିତ ଦାବୀ ପତ୍ର ପ୍ରଦାନ କରିଥିଲେ।ଏହାକୁ ନେଇ ସ୍ଥାନୀୟ ବାର କାଉନସିଲ ସଭାଗୃହ ଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସବିଶେଷ ସୂଚନା ଦିଆଯାଇଛି। ପ୍ରକାଶ ଯୋଗ୍ୟ ଯେ କିଛିଦିନ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ରାଜ୍ୟରେ ନୂତନ ଜିଲ୍ଲା ଗଠନ ପାଇଁ ବହୁ ଦାବୀ ଆସିଥିବା ଓ ଏଥିପାଇଁ ସରକାର ବିଚାର କରୁଥିବା ନେଇ ସୂଚନା ଦେଇଥିଲେ।ଟିଟିଲାଗଡ ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇଁ ଆବଶ୍ୟକ ସମସ୍ତ ମାପଦଣ୍ଡ ପୂରଣ କରୁଥିଲେ ମଧ୍ୟ ଅଞ୍ଚଳ ବାସୀ ଙ୍କ ଏହି ନ୍ୟାର୍ଯ୍ୟ ଦାବୀ କେବଳ ପ୍ରତିଶୁତି ଓ ପ୍ରତାରଣା ମଧ୍ୟରେ ଛନ୍ଦି ହୋଇ ରହିଛି।ଉପଖଣ୍ଡବାସୀ ଙ୍କ ଏହି ଦାବୀ କୁ ନେଇ ପୂର୍ବ ସରକାର ର ଆଭିମୁଖ୍ୟ ସ୍ପଷ୍ଟ ନ ଥିବା ବେଳେ ବର୍ତ୍ତମାନ ର ବିଜେପି ସରକାର ନିଶ୍ଚୟ ଏହାକୁ ଗୁରୁତ୍ଵ ଦେବେ ବୋଲି ବିଧାୟକ ଶ୍ରୀ ଜୈନ ଦୃଢୋକ୍ତି ପ୍ରକାଶ କରିଥିଲେ।ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କମିଟି ସଦସ୍ୟ ଶୁଭ୍ରାଂଶୁ ଶେଖର ଦାସ,ସୁବୋଧ ଦାଶ,ପଙ୍କଜ ପାଢ଼ୀ,ଶ୍ୟାମ ପ୍ରସାଦ ଗରିଆ,ମନୋଜ ହାତୀ, ସତ୍ୟ ନାରାୟଣ ବହିଦାର, ଆଲୋକ ନାୟକ,ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

