ଅଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହେଉଛି… ମେଣ୍ଡା ହାଇସ୍କୁଲ ଓ ଏମ୍.ବି.ଆର. କଲେଜ ରେଜଲ୍ଟରେ ଝିଅଙ୍କ କମାଲ

0
83

ବଲାଙ୍ଗିର,୨୭/୫ (ଜେଏନଏସ),ସାହିତ୍ୟ,ସଂସ୍କୃତି ଓ କଳାର ମାଟି ମେଣ୍ଡା ଗଡଜାତ ଅଞ୍ଚଳରେ ଶିକ୍ଷାର ବିକାଶ ହୋଇଛି। ଏକଦା ଏହି ଅଞ୍ଚଳରୁ ପାଠ ପଢିବା ପାଇଁ ବାହାର ସ୍କୁଲ କଲେଜକୁ ଯିବାକୁ ପଡୁଥିବା ବେଳେ ବର୍ତ୍ତମାନ ସ୍ଥିତି ଭିନ୍ନ।ଏବେ ମେଣ୍ଡା ହାଇସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ଉଲ୍ଲେଖନିୟ ସଫଳତା ହାସଲ କରୁଛନ୍ତି । ମୁଖ୍ୟତଃ ଅଞ୍ଚଳର ଗରୀବ ଘରର ଝିଅ ଓ ଦଳିତବର୍ଗଙ୍କ ପାଇଁ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନ ଗୁଡିକ ବରଦାନ ସଦୃଶ ହୋଇଛି । ଚଳିତବର୍ଷ ମାଟ୍ରିକବୋର୍ଡ ପରୀକ୍ଷା ଓ ଯୁକ୍ତଦୁଇ କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଆଗରେ ରହିଛନ୍ତି । ମେଣ୍ଡା ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ସୁଲଗ୍ନା ଫରିକାର ମୋଟ ୫୪୦ ମାର୍କ(୯୦%) ରଖି ଅଞ୍ଚଳର ଗୌରବ ବଢାଇଛନ୍ତି । ସହରାଞ୍ଚଳରେ ଅନେକସ୍କୁଲରେ ସରକାରୀ ସ୍କୁଲରେ ଏ-ୱାନ ଗ୍ରେଡରେ ଜଣେ ମଧ୍ୟ ଛାତ୍ରଛାତ୍ରୀ ନଥିବା ବେଳେ ମେଣ୍ଡା ହାଇସ୍କୁଲରୁ ଗତବର୍ଷ ୩ଜଣ ଓ ଚଳିତବର୍ଷ ଜଣେ ଛାତ୍ରୀ ରହିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରୁଛନ୍ତି ।ସେହିପରି ଯୁକ୍ତଦୁଇ ବୋର୍ଡରେ ମହର୍ଷି ବୁଦ୍ଧରାମ ଜୁନିୟର କଲେଜର ସରସ୍ୱତୀ ମେହେର-୪୯୦(୮୧.୬୭%) ମାର୍କ , ସୀମରନ ପଧାନ-୪୮୫(୮୦.୮୩%) ମାର୍କ , ଝରଣା ବାଗ-୪୮୩ (୮୦.୫୦%) ମାର୍କ ଓ ମୋନାଲିସା ମେର୍ଲି-୪୭୬(୭୯.୩୩%) ମାର୍କ ରଖି କଲେଜ ତଥା ଅଞ୍ଚଳର ଗୌରବ ବଢାଇଛନ୍ତି । କେବଳ ସେତକି ନୁହେଁ ଏମ୍.ବି.ଆର ଜୁନିୟର କଲେଜର ୨୩ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଓ ୨୮ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି। ତେବେ ପୁଅଙ୍କଠାରୁ ଝିଅମାନେ ଅଧିକ ମାର୍କ ରଖିଛନ୍ତି ଓ ଶିକ୍ଷାନୁଷ୍ଠାନର ଗୌରବକୁ ବଢାଇଥିବାରୁ ଅଞ୍ଚଳରେ ଖୁସିର ମାହୋଲ ରହିଛି । ଛାତ୍ରୀମାନଙ୍କର ଏହି ସଫଳତା ପାଇଁ ପରୀକ୍ଷାର୍ଥି, ତାଙ୍କ ସ୍କୁଲ ଓ କଲେଜର ଶିକ୍ଷକ, ଅଧ୍ୟାପକ ତଥା ଅଭିଭାବକମାନଙ୍କୁ ଅଞ୍ଚଳବାସୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ୍ୟ ଯୋଗ୍ୟ ଯେ, ମେଣ୍ଡାରେ ୧୮୮୭ ମସିହାରୁ ପ୍ରାଥମିକ ସ୍କୁଲ ରହିଥିଲା । ସ୍ୱାଧିନତା ପରେ ୧୯୬୩ ମସିହାରେ ହାଇସ୍କୁଲ ଖୋଲିଥିଲା । ଏହା ପୂର୍ବରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ତରଭା, ସୋନପୁର କିମ୍ବା ବଲାଙ୍ଗିରକୁ ପାଠପଢିବାକୁ ଆସିବାକୁ ପଡୁଥିଲା ।  ହାଇସ୍କୁଲ ଆରମ୍ଭ ହେବାପରେ ମେଣ୍ଡା ଅଞ୍ଚଳର ଶିକ୍ଷା, କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ଦୃତ ବିକାଶ ହୋଇଥିଲା । କିନ୍ତୁ ଉଚ୍ଚଶିକ୍ଷା ପାଇଁ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବାହାରକୁ ଯିବାକୁ ପଡୁଥିବା ଯୋଗୁଁ ମୁଖ୍ୟତଃ ଝିଅମାନଙ୍କ ପାଠପଢାରେ ଘୋର ସମସ୍ୟା ସୃଷ୍ଟି ହେଉଥିଲା । ଅଞ୍ଚଳର ଛାତ୍ରୀ ତଥା ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କର ଉଚ୍ଚଶିକ୍ଷା ପାଇଁ ୧୯୯୪ ମସିହାରେ ମେଣ୍ଡାଠାରେ ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ସେହିଦିନରୁ ପ୍ରତିବର୍ଷ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢି ଆଗକୁ ବଢୁଛନ୍ତି । ଏଠାରୁ ପାଠପଢି ବିଭିନ୍ନ ଚାକିରିରେ ସୁଯୋଗ ପାଇଛନ୍ତି ଓ ନିଜକୁ ସ୍ୱାବଲମ୍ବି କରିପାରିଛନ୍ତି । ପରେ ପରେ ଏକ ଡିଗ୍ରୀ କଲେଜ ମଧ୍ୟ ଖୋଲାଯାଇଛି । ପ୍ରଥମେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଏବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅନୁବନ୍ଧିତାରେ ଏହି କଲେଜ ପରିଚାଳିତ ହେଉଛି । ଡିଗ୍ରୀ କଲେଜରେ ମଧ୍ୟ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦% ଛାତ୍ରୀ ପାଠ ପଢୁଛନ୍ତି ଯାହାକି ଅଞ୍ଚଳବାସୀଙ୍କ ସ୍ୱପ୍ନକୁ ସାକାର କରୁଛି ।

LEAVE A REPLY

Please enter your comment!
Please enter your name here